fbpx

ଜେଡିୟୁର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରୁ ବାଦ୍ ପଡିଲେ ରାଜ୍ୟସଭା ଉପାଧ୍ୟକ୍ଷ , ମୋଦୀଙ୍କୁ ପ୍ରଶଂସା କରିବା ଭାରି ପଡିଲା

ପାଟନା: ବିହାରରେ କ୍ଷମତାସୀନ ଜେଡିୟୁ(ଜନତା ଦଳ ୟୁନାଇଟେଡ) ପକ୍ଷରୁ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀର ନୂଆ ତାଲିକା ଜାରି କରାଯାଇଛି । ଏଥିରେ ୯୮ ସଦସ୍ୟ ସ୍ଥାନ ପାଇଛନ୍ତି । କିନ୍ତୁ ଜେଡିୟୁର ଏହି ନୂଆ ତାଲିକାରେ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶଙ୍କ ନାମ ନାହିଁ । କିଛିଦିନ ତଳେ ଉପାଧ୍ୟକ୍ଷ ହରିବଂଶ ନୀତିଶ କୁମାରଙ୍କୁ ଭେଟିଥିଲେ । ତେବେ ହରିବଂଶ ଉପାଧ୍ୟକ୍ଷ ରହିବା ନେଇ ପ୍ରଶାନ୍ତ କିଶୋର ଲଗାତର ପ୍ରଶ୍ନ ଉଠାଇ ଆସୁଛନ୍ତି ।

ଜେଡିୟୁର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ନୂଆ ତାଲିକାରେ ଲଲନ ସିଂହ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଛନ୍ତି । ଅନ୍ୟପକ୍ଷରେ ମଙ୍ଗନୀ ଲାଲ ମଣ୍ଡଳଙ୍କୁ ଉପାଧ୍ୟକ୍ଷ କରାଯାଇଛି । କେସି ତ୍ୟାଗୀଙ୍କୁ ବିଶେଷ ପରାମର୍ଶଦାତା ଓ ମୁଖ୍ୟ ପ୍ରବକ୍ତା କରାଯାଇଛି । ଏହି ତାଲିକାରେ ଦଳର ସର୍ବୋଚ୍ଚ ନେତା ହେଉଛନ୍ତି ନୀତିଶ କୁମାର । ଏହା ବ୍ୟତିତ ଏହି ତାଲିକାରେ ୯୮ ଜଣ ସଦସ୍ୟଙ୍କୁ ବିଭିନ୍ନ ପଦ ମିଳିଛି ।

୨୦୧୮ରେ ପୂର୍ବ ପତ୍ରକାର ହରିବଂଶଙ୍କୁ ରାଜ୍ୟସଭାର ଉପସଭାପତି ଭାବରେ ଚୟନ କରାଯାଇଥିଲା । ଏହି ସମୟରେ କ୍ଷମତାସୀନ ଜେଡିୟୁ ମେଣ୍ଟରେ ବିଜେପି ସହଯୋଗୀ ଥିଲା । ୨୦୨୦ରେ ସେ ପୁନଃ ଗୃହରେ ଉପସଭାପତି ଭାବରେ ମନୋନୀତ ହୋଇଥିଲେ । ଗତ ବର୍ଷ ଅଗଷ୍ଟ ପର୍ଯ୍ୟନ୍ତ ବିଜେପି ଓ ଜେଡିୟୁର ମେଣ୍ଟ ଜାରି ରହିଥିଲା । ତେବେ ଜେଡିୟୁର ମେଣ୍ଟ ଭାଙ୍ଗିବା ପରେ ବି ହରିବଂଶ ଉପାଧ୍ୟକ୍ଷ ପଦରେ ରହିବା ନେଇ କେହି ଆପତ୍ତି ଉଠାଇ ନ ଥିଲେ । କିନ୍ତୁ ନୂଆ ସଂସଦ ଭବନ ଉଦଘାଟନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିବା ପରେ ସେ ଜେଡିୟୁର ବହୁ ନେତାଙ୍କ ଟାର୍ଗେଟରେ ଆସିଯାଇଥିଲେ ।

Get real time updates directly on you device, subscribe now.