ଏକନାଥ ଶିନ୍ଦେଙ୍କୁ କଡ଼ା ଟକ୍କର ଦେବେ କେଦାର ଦିଘେ, ତାଙ୍କୁ ବିଶ୍ୱାସ କରି ଟିକେଟ୍ ଦେଇଛନ୍ତି ଉଦ୍ଧବ ଠାକରେ, ଜାଣନ୍ତୁ ସେ କିଏ ?

ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ବୁଧବାର ଉଦ୍ଧବ ଠାକରେଙ୍କ ଶିବସେନା(ୟୁବିଟି) ଏହାର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ୬୫ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ରାଜ୍ୟର କୋପରୀ- ପଂଚପାଖଡ଼ି ବିଧାନସଭା ଆସନକୁ ‘ହଟ୍ ସିଟ୍‌’ ବିବେଚିତ କରାଯାଇଛି କାରଣ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏହି ଆସନରୁ ନିର୍ବାଚନ ଲଢ଼ିବେ । ତେବେ ଏହି ତାଲିକାରେ ତାଙ୍କ ବିପକ୍ଷରେ କେଦାର ଦିଘେଙ୍କୁ ଟିକେଟ ପ୍ରଦାନ କରିଛନ୍ତି ଉଦ୍ଧବ ଠାକରେ । ବର୍ତ୍ତମାନ ଶିନ୍ଦେଙ୍କ ପାଇଁ ଏହି ନିର୍ବାଚନ ଆହୁରି ଚ୍ୟାଲେଞ୍ଜିଂ ହୋଇଯାଇଛି ।

କେଦାର ଦିଘେ କିଏ ?

କୋପରୀ- ପଂଚପାଖଡ଼ି ବିଧାନସଭା ଆସନରୁ ଟିକେଟ ପାଇଥିବା କେଦାର ଦିଘେ ହେଉଛନ୍ତି ଦିବଙ୍ଗତ ଆନନ୍ଦ ଦିଘେଙ୍କ ଭଣଜା । ଦିବଙ୍ଗତ ଆନନ୍ଦ ଦିଘେଙ୍କୁ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ନିଜ ଆଦର୍ଶ ଓ ରାଜନୈତିକ ଗୁରୁ ମାନନ୍ତି । ଆନନ୍ଦ ଦିଘେଙ୍କ ମାର୍ଗଦର୍ଶନରେ ହିଁ ଏକନାଥ ଶିନ୍ଦେ ତାଙ୍କ ରାଜନୈତିକ ମୂଳଦୁଆକୁ ମଜବୁତ କରିଥିଲେ । ଉଦ୍ଧବ ଠାକରେ କୋପରୀ- ପଂଚପାଖଡ଼ି ବିଧାନସଭା ଆସନରୁ କେଦାର ଦିଘେଙ୍କୁ ମଇଦାନକୁ ଓହ୍ଲାଇ ଆନନ୍ଦ ଦିଘେଙ୍କ ସମର୍ଥକଙ୍କ ମଧ୍ୟରେ ଦ୍ୱନ୍ଦ୍ୱର ସ୍ଥିତି ଉତ୍ପନ୍ନ କରିଛନ୍ତି । ବର୍ତ୍ତମାନ ଦେଖିବାକୁ ବାକି ରହିଲା ଆନନ୍ଦ ଦିଘେଙ୍କ ସମର୍ଥକ ଏହି ଆସନରୁ କାହାକୁ ନିର୍ବାଚିତ କରିବେ ।

ଅପରପକ୍ଷରେ ଥାନେ ସାଂସଦ ନରେଶ ମହାସକେଙ୍କ କହିବାନୁଯାୟୀ ମୁଖ୍ୟମନ୍ତ୍ରୀ ଶିନ୍ଦେ ଅକ୍ଟୋବର ୨୮କୁ ନିଜ ନାମାଙ୍କନ ପତ୍ର ଦାଖଲ କରିପାରନ୍ତି । ୨୦୦୯ରୁ ସେ ଶିବସେନା(ଅବିଭାଜିତ) ପ୍ରାର୍ଥୀ ଭାବରେ କୋପରୀ- ପଂଚପାଖଡ଼ି ବିଧାନସଭା ଆସନରୁ ଜିତି ଆସୁଛନ୍ତି । ୨୦୧୯ ନିର୍ବାଚନରେ ସେ କଂଗ୍ରେସର ସଂଜୟ ଘାଡ଼ିଗାଓଁକରଙ୍କୁ ୮୯ ହଜାରରୁ ଉର୍ଦ୍ଧ୍ୱ ଭୋଟରେ ପରାସ୍ତ କରିଥିଲେ ।