ଭୁବନେଶ୍ୱର: ବଙ୍ଗୋପସାଗରରେ ଆହୁରି ଘନୀଭୂତ ହୋଇଛି ଲଘୁଚାପ କ୍ଷେତ୍ର । ଆଜି ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି ଲଘୁଚାପ । ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଆଗାମୀ ୨୪ ଘଣ୍ଟା ଯାଏଁ ଏହା ତୀବ୍ରତା ବଜାୟ ରଖିବ ବୋଲି ସମ୍ଭାବନା ରହିଛି ।
ଗତିର ଦିଗ ପରିବର୍ତ୍ତନ ସହ ଉତ୍ତର- ଉତ୍ତର ପୂର୍ବ ଦିଗରେ ଗତିକରି କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ ଧୀରେ ଧୀରେ ଦୁର୍ବଳ ହେବାର ସମ୍ଭାବନା ରହିଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଦୁର୍ବଳ ହେବ ଲଘୁଚାପ । ଏହା ପ୍ରଭାବରେ ୧୦ ଓ ୧୧ ତାରିଖରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବର୍ଷାର ସମ୍ଭାବନା ରହିଛି । ତେବେ ଆଜି ଓ ଆସନ୍ତାକାଲି ପାଗରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ।
ସେହିପରି ଆଜି କିଛି କିଛି ଜିଲ୍ଲାରେ କାଳବୈଶାଖୀର ସମ୍ଭାବନା ରହିଛି । ୯ତାରିଖରେ ବିଜୁଳି ଘଡ଼ଘଡ଼ି ସହ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ପାଇଁ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୧୦ ରୁ ୧୭ ତାରିଖ ଯାଏଁ ରାଜ୍ୟର କିଛି ସ୍ଥାନରେ ସ୍ବଳ୍ପ ବର୍ଷା ହେବାର ସମ୍ଭାବନା ରହିଛି। ୧୬ ଓ ୧୭ ତାରିଖରେ ୫ ଜିଲ୍ଲାରେ ଅଧିକ ବର୍ଷା ହୋଇପାରେ। ବରିଷ୍ଠ ପାଣିପାଗ ବିଶେଷଜ୍ଞ ଡ. ସୁରେନ୍ଦ୍ରନାଥ ପଶୁପାଳକ ଏହା ପୂର୍ବାନୁମାନ କରିଛନ୍ତି।