fbpx

ମାହାଙ୍ଗା ଗଣହତ୍ୟା: ଅଭିଯୁକ୍ତ ଶିବକୁ ନେଇ ପୋଲିସ ଦେଲା ଗୁରୁତ୍ୱପୂର୍ଣ୍ଣ ସୂଚନା

Advertisement

କଟକ(ଓଡ଼ିଶା ଭାସ୍କର): କଟକ ଜିଲ୍ଲା ମାହାଙ୍ଗା ଥାନା କୁସୁପୁରରେ ଗଣହତ୍ୟା ମାମଲା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଗଣହତ୍ୟା ମାମଲାକୁ ନେଇ ପୋଲିସ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି । ବଡ଼ଭାଇ ପରିବାରର ମୋଟ ୫ ଜଣଙ୍କୁ ହତ୍ୟାରେ ଏକା ଶିବପ୍ରସାଦ ସାହୁ ହିଁ ସଂପୃକ୍ତ ଥିବା ସୂଚନା ମିଳିଛି । ଏନେଇ କଟକ ଗ୍ରାମାଞ୍ଚଳ ଅତିରିକ୍ତ ଏସପି ଅଶୋକ ବେହେରା ସୂଚନା ଦେଇଛନ୍ତି । ଘଟଣାସ୍ଥଳରେ ଶିବ ଡେମୋ ଦେଖାଇବା ପରେ ଏଏସପି ଏହି ସୂଚନା ଦେଇଛନ୍ତି ।

ତାଙ୍କ କହିବା ଅନୁସାରେ, ‘ପ୍ରାରମ୍ଭିକ ତଦନ୍ତ ଆଧାରରେ ହତ୍ୟା ଘଟଣାରେ ଏକା ଶିବର ସଂପୃକ୍ତି ଥିବା ଜଣାପଡିଛି ।’ ତେବେ କ୍ରାଇମ୍ ସିନ୍ ରିକ୍ରିଏସନ୍ ପାଇଁ ଅଭିଯୁକ୍ତ ଶିବପ୍ରସାଦ ସାହୁକୁ ଘଟଣାସ୍ଥଳକୁ ନିଆଯାଇଥିଲା । କଡ଼ା ସୁରକ୍ଷା ମଧ୍ୟରେ ପ୍ରାଇମ୍ ସିନ୍ ରିକ୍ରିଏସନ କରିଥିଲା ପୋଲିସ । କିପରି ହତ୍ୟାକାଣ୍ଡ ସଂଘଟିତ ହୋଇଥିଲା, ସେନେଇ ଛାନଭିନ୍ ଚାଲିଥିଲା । ୫ ଜଣଙ୍କୁ ବୀଭତ୍ସ ହତ୍ୟାର ଡେମୋ ଦେଖାଇଥିଲା ଅଭିଯୁକ୍ତ ଶିବ । କ୍ରାଇମ୍ ସିନ୍ ରିକ୍ରିଏସନ୍ ସମୟରେ ଘଟଣାସ୍ଥଳରେ ଏସଡିପିଓ ଓ ମାହାଙ୍ଗା ଥାନା ଅଧିକାର ଉପସ୍ଥିତ ରହିଥିଲେ । ସୁରକ୍ଷା ଦୃଷ୍ଟିରୁ ଗାଁରେ ୨ ପ୍ଲାଟୁନ୍ ପୋଲିସ ଫୋର୍ସ ମଧ୍ୟ ମୁତୟନ ହୋଇଥିଲେ ।

ସୂଚନା ଅନୁସାରେ, ଗଣହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶିବ ସାହୁକୁ ମାହାଙ୍ଗା ପୋଲିସ ୩ ଦିନିଆ ରିମାଣ୍ଡରେ ନେଇଛି । ତାର ମେଡିକାଲ ଟେଷ୍ଟ କରାଯିବା ପରେ ତାକୁ ପୋଲିସ ହତ୍ୟା ଘଟଣା ସମ୍ପର୍କରେ ପଚରାଉଚୁରା ଆରମ୍ଭ କରିଛି । ତେବେ ପୋଲିସ ତାକୁ ୫ ଦିନିଆ ରିମାଣ୍ଡରେ ନେବାପାଇଁ ସାଲେପୁର ଜେଏମ୍‌ଏଫ୍‌ସିଙ୍କ ଅଦାଲତରେ ଆବେଦନ କରିଥିଲେ ମଧ୍ୟ ଅଦାଲତ ୩ ଦିନ ପାଇଁ ରିମାଣ୍ଡରେ ନେବାକୁ ଅନୁମତି ପ୍ରଦାନ କରିଛନ୍ତି । ତେବେ ପୋଲିସ ରିମାଣ୍ଡରେ ଆଣିବା ପରେ ସେ ସବୁ ସତ କଥା ମାନିଥିବା ସୂଚନା ମିଳିଛି । ଏପରିକି ଭାଇ ଅଲେଖ ସାହୁ ପରିବାରର ୫ ଜଣଙ୍କୁ ବୀଭତ୍ସ ଭାବେ ହତ୍ୟା କରିବା ପରେ ସେମାନଙ୍କ ଶିରା କାଟିଥିବା ସ୍ୱୀକାର କରିଛି ।

ତେବେ କଟକ ଜିଲ୍ଲା ମାହାଙ୍ଗା ଥାନା କୁସୁପୁର ଗ୍ରାମରେ ଗୋଟିଏ ପରିବାରର ୫ ଜଣଙ୍କୁ ଅତ୍ୟନ୍ତ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ଜମିଜମା ବିବାଦରୁ ବଡ଼ଭାଇର ପୂରା ପରିବାରକୁ ସାନଭାଇ ନିଶ୍ଚିହ୍ନ କରିଦେଇଛି। ନାଟକୀୟ ଢଙ୍ଗରେ ଭିଡିଓ ଭାଇରାଲ୍‌ କରି ନିଜର ଦୋଷ ସ୍ବୀକାର କରିବା ସହିତ ସାନଭାଇ ଥାନାରେ ଆତ୍ମସମର୍ପଣ କରିଛି। କିନ୍ତୁ ଜଣେ ବ୍ୟକ୍ତି ଏଭଳି ୫ ଜଣଙ୍କୁ ହତ୍ୟା କରିବା ଘଟଣାକୁ ନେଇ ବିଭିନ୍ନ ମହଲରେ ସନ୍ଦେହ ବି ବଢ଼ିବାରେ ଲାଗିଛି। ଏହାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି। ମୃତକମାନେ ହେଲେ; ଅଲେଖ ସାହୁ (୪୪), ପତ୍ନୀ ରଶ୍ମିରେଖା ପୃଷ୍ଟି (୩୮), ବଡ଼ପୁଅ ସ୍ମୃତି ସାଇଲ ସାହୁ (୧୭), ସାନପୁଅ ସ୍ମୃତି ସୌରଭ (୧୪) ଓ ଝିଅ ସ୍ମୃତିସନ୍ଧ୍ୟା ସାହୁ (୧୯)। ସମସ୍ତଙ୍କୁ ଶୋଇଥିବା ଅବସ୍ଥାରେ ହତ୍ୟା କରିଥିବା କହିଛି ଅଭିଯୁକ୍ତ ସାନଭାଇ ଶିବପ୍ରସାଦ ସାହୁ।

Get real time updates directly on you device, subscribe now.