ମାତ୍ର ୪୯ ଟଙ୍କା ଖଟେଇ ଜିତିଲେ କୋଟିଏ… ଏବେ ମ୍ୟାନେଜରରୁ କୋଟିପତି

ବସ୍ତି: ମଣିଷର ଭାଗ୍ୟ କେତେବେଳେ କେଉଁ ମୋଡ଼ ନେବ ବା କେତେବେଳେ ବଦଳି ଯିବ ତାହା କେହି ଜାଣନ୍ତି ନାହିଁ । ସେଥି ପାଇଁ ବଡ଼ ଲୋକମାନେ କୁହନ୍ତି, କର୍ମ କରିଚାଲ ଫଳକୁ ଆଶା କରନି । ଉତ୍ତର ପ୍ରଦେଶ ବସ୍ତିର ଜଣ ଯୁବକ ରାତାରାତି କୋଟିପତି ହୋଇ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ନାଁ ତାଙ୍କର ରାକେଶ ରାନା । ପରସପୁରା ଗ୍ରାମରେ ତାଙ୍କ ଘର । ଫୋନରେ ଅନଲାଇନ୍ ଗେମ୍ ଖେଳି ରାକେଶ ହୋଇଛନ୍ତି କୋଟିପତି । ଡ୍ରିମ୍ ୧୧ରେ ଟିମ୍ ବନେଇ ରାକେଶ ଏବେ ସଫଳ ହୋଇଛନ୍ତି ।

ଶ୍ରୀଲଙ୍କା-ନୁ୍ୟଜିଲାଣ୍ଡର ୨୦-୨୦ ମ୍ୟାଚରେ ସେ ଅନ୍ୟ ଖେଳାଳୀମାନଙ୍କ ପରି ମାତ୍ର ୪୯ ଟଙ୍କା ଲଗେଇଥିଲେ । ଆଉ ଖେଳ ସରିଲାବେଳକୁ ତାଙ୍କ ପାଖକୁ ଆସିଯାଇଥିଲା ଗୋଟିଏ କୋଟି । ଟ୍ୟାକ୍ସ ବାବଦକୁ ୩୦ ଲକ୍ଷ ଟଙ୍କା କଟିଯିବା ପରେ ତାଙ୍କ ସମ୍ପୂର୍ଣ୍ଣ ପୁରସ୍କାର ରାଶି ୭୦ ଲକ୍ଷରେ ପହଞ୍ଚିଛି । ତେବେ ଏ ଟଙ୍କାରେ ସେ ତାଙ୍କ ସ୍ୱପ୍ନ ସବୁ ପୂରା କରିବେ ବୋଲି କହିଛନ୍ତି । ପାଖାପାଖି ୩ ବର୍ଷ ଧରି ରାକେଶ ଏ ଖେଳ ସହ ଜଡ଼ିତ । ଯେଉଁଥିରେ ସେ ମୋଟାମୋଟି ଉପରେ ୨ ଲକ୍ଷ ଟଙ୍କା ହାରି ସାରିଥିଲେ । କିନ୍ତୁ ରାକେଶ ହାର୍ ମାନି ନ ଥିଲେ । ଏକ ଘରୋଇ ହୋଟେଲରେ ମ୍ୟାନେଜର ଭାବେ କାମ କରୁଥିବା ରାକେଶ ଏ ଖେଳ ସମ୍ପର୍କରେ ସମସ୍ତ ଟ୍ରିକ୍ ହୋଟେଲ ଡାଇରେକ୍ଟର ଅଜୟ ଚୌଧୁରୀଙ୍କଠାରୁ ଶିଖିଥିବା କହିଛନ୍ତି । ଯାହା ପାଇଁ ସେ ତାଙ୍କୁ ସାଧୁବାଦ୍ ଦେଇଛନ୍ତି । ଅନଲାଇନ ଗେମ୍ ବର୍ତ୍ତମାନର ଯୁବପିଢ଼ିଙ୍କ ପାଇଁ ନିଶା ପାଲଟିଗଲାଣି । କିଛିଙ୍କର ଭଲ ରକମର ଫାଇଦା ହେଉଛି ତ ଆଉ କିଛି ଲୋକଙ୍କୁ ସର୍ବଶାନ୍ତ କରି ଦେଉଛି ଏହି ଆପ୍ । ଯେ କେହି ବି ଏ ଗେମିଂ ଆପ୍ ସବୁ ବ୍ୟବହାର କରୁଛନ୍ତି ସେମାନଙ୍କୁ ଅଧିକ ସଚେତନ ଓ ସତର୍କ ହୋଇ ଖୋଳିବାକୁ ପଡ଼ିବ ।