fbpx

ରାଜ୍ୟରେ ହ୍ରାସ ପାଇଛି ମାତୃ ଓ ଶିଶୁ ମୃତ୍ୟୁହାର; ମ୍ୟାଲେରିଆ ନିୟନ୍ତ୍ରଣରେ ଶୀର୍ଷରେ ଓଡ଼ିଶା-ବିଭାଗୀୟ ମନ୍ତ୍ରୀ

ଭୁବନେଶ୍ୱର: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆଗତ ୨୦୨୩-୨୪ ଆର୍ଥିକ ବର୍ଷ ବଜେଟ୍‍ର ମୁଖ୍ୟାଂଶ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ସାମ୍ପୁଲ ରେଜିଷ୍ଟ୍ରେସନ ସର୍ଭେ ରିପୋର୍ଟ ଅନୁସାରେ ୨୦୦୫ ମସିହାରୁ ୨୦୨୦ ମସିହା ମଧ୍ୟରେ
ଓଡ଼ିଶାର ଶିଶୁ ମୃତ୍ୟୁହାର ଅନ୍ୟ ରାଜ୍ୟ ତୁଳନାରେ ସର୍ବାଧିକ ହ୍ରାସ ଘଟିଛି। ସେହିଭଳି ୨୦୧୫ରୁ ୨୦୧୭ ଏବଂ ୨୦୧୮ରୁ ୨୦୨୦ ମଧ୍ୟରେ ମାତୃ ମୃତ୍ୟୁହାର କମାଇବାରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି। ପଞ୍ଚମ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେକ୍ଷଣ ରିପୋର୍ଟ ଅନୁସାରେ ଦେଶରେ ସର୍ବକାଳୀନ ଟିକାଦାନ କାର୍ଯ୍ୟକ୍ରମ ୯୦ଦଶମିକ ୫ ପ୍ରତିଶତ ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ କରି ଓଡ଼ିଶା ସର୍ବୋଚ୍ଚ ସ୍ଥାନରେ ରହିଛି। ମନ୍ତ୍ରୀ କହିଛନ୍ତି ମ୍ୟାଲେରିଆ ନିୟନ୍ତ୍ରଣ କ୍ଷେତ୍ରରେ ରୋଗୀ ସଂଖ୍ୟା ୯୪ ପ୍ରତିଶତ କମାଇ ଦେଶରେ ପ୍ରଥମ ସ୍ଥାନରେ ଥିବାବେଳେ ରାଜ୍ୟ ଯକ୍ଷ୍ମା ନିୟନ୍ତ୍ରଣରେ ଦ୍ୱିତୀୟ ସ୍ଥାନରେ ରହିଛି।

କୋଭିଡ ନିୟନ୍ତ୍ରଣରେ ମଧ୍ୟ ରାଜ୍ୟ ସମଗ୍ର ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ସେ କହିଛନ୍ତି ଲୋକଙ୍କ କଲ୍ୟାଣ ପାଇଁ ଏସ୍‍ସିବି ମେଡ଼ିକାଲ କଲେଜକୁ ଏମ୍‍ସ ପ୍ଲସରେ ରୂପାନ୍ତରିତ କରିବା ଠାରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‍ଥକାର୍ଡ ପ୍ରଦାନ ଓ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା ଆଦି ଲୋକଙ୍କୁ ଲାଭ ପହଞ୍ଚାଉଛି । ସ୍ୱାସ୍ଥ୍ୟସେବା ନିମନ୍ତେ ରଖାଯାଇଥିବା ବଜେଟ୍‍ ଗତବର୍ଷ ତୁଳନାରେ ୨୭ ପ୍ରତିଶତ ଅଧିକ । ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟସେବାକୁ ନିର୍ଣ୍ଣାୟକ ଭାବେ ଦୃଷ୍ଟିରେ ରଖି ଚଳିତ ସ୍ୱାସ୍ଥ୍ୟ ବଜେଟ୍‍ ପ୍ରସ୍ତୁତ କରାଯାଇଛି । ଏହାସହ ଆମ ହସ୍ପିଟାଲ ନାମକ ଏକ ନୂତନ ସ୍କିମ୍‍କୁ
ସ୍ୱାସ୍ଥ୍ୟସେବାରେ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରସ୍ତାବ ରହିଛି । ଏଥିରେ ୧୪୭ଟି ସ୍ୱାସ୍ଥ୍ୟ ଅନୁଷ୍ଠାନର ମାତ୍ର ୯ ମାସ ଅବଧି ମଧ୍ୟରେ ରୂପାନ୍ତରଣ କରାଯିବ । ଏଥିପାଇଁ ୭୫୦କୋଟି ଟଙ୍କା ଖର୍ଚ୍ଚ ହେବ । ସେହିଭଳି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ଶାଳିନୀ ପଣ୍ଡିତ କହିଛନ୍ତି ସମସ୍ତ ସରକାରୀ ଡାକ୍ତରଖାନାରେ ଆବଶ୍ୟକ ସଂଖ୍ୟକ ଡାକ୍ତର ଓ ସହାୟକ କର୍ମଚାରୀଙ୍କ ନିଯୁକ୍ତି ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି ।

ଗତ ୫ ବର୍ଷ ମଧ୍ୟରେ ୪ହଜାର ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି । ୨୦୨୩-୨୪ ମସିହାରେ ୫ହଜାରରୁ ଅଧିକ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବ । ସେ କହିଛନ୍ତି ଗତ ୬ବର୍ଷ ମଧ୍ୟରେ ବାଲେଶ୍ୱର, ବାରିପଦା, ବଲାଙ୍ଗୀର, କୋରାପୁଟ, ପୁରୀ, କେନ୍ଦୁଝର ଏବଂ ସୁନ୍ଦରଗଡରେ ୭ଟି ନୂଆ ମେଡ଼ିକାଲ କଲେଜ ଏବଂ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଓ କଟକସ୍ଥିତ ଆଚାର୍ଯ୍ୟ ହରିହର କର୍କଟ ରୋଗ ପ୍ରତିଷ୍ଠାନରେ ୨ଟି ପୋଷ୍ଟ ଗ୍ରାଜୁଏଟ୍‍ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରାଯାଇଛି । ଏହାପରେ ତାଳଚେର, ଫୁଲବାଣୀ ଏବଂ ଯାଜପୁରଠାରେ ପର୍ଯ୍ୟାୟକ୍ରମେ ମେଡ଼ିକାଲ କଲେଜ କାର୍ଯ୍ୟକ୍ଷମ କରାଯିବ । ସେ କହିଛନ୍ତି ୨୦୨୩-୨୪ ବଜେଟ୍‍ ବ୍ୟୟ ଆକଳନରେ ବିଭିନ୍ନ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ଗୁଡ଼ିକର କାର୍ଯ୍ୟାନ୍ୱୟନ ପାଇଁ ୨ହଜାର ୨ଶହ ଅଣାନବେ କୋଟି ଟଙ୍କା ଯୋଗାଇ ଦିଆଯାଇଛି ।

Get real time updates directly on you device, subscribe now.