ଭୁବନେଶ୍ୱର: ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଆଗାମୀ ତିନିଦିନ ପର୍ଯ୍ୟନ୍ତ ମଧ୍ୟମରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ସ୍ଥିତିକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଓଡ଼ିଶା ଏବଂ ମଧ୍ୟପ୍ରଦେଶ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତର ଓଡ଼ିଶା ପାଶ୍ୱର୍ବର୍ତ୍ତୀ ଗାଙ୍ଗୀୟ ପଶ୍ଚିମବଙ୍ଗ ଉପତ୍ୟକା ଓ ଝାରଖଣ୍ଡ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି ।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅତିପ୍ରବଳ ବର୍ଷା ହେବା ନେଇ ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବରଗଡ଼, ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିଭଳି ପ୍ରବଳ ବର୍ଷା ହେବା ନେଇ ୧୧ଟି ଜିଲ୍ଲାକୁ ୟେଲ୍ଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଅନ୍ୟପଟେ ସାମ୍ଭାବ୍ୟ ଲଗାଣ ବର୍ଷା ଏବଂ ଜଳବନ୍ଦୀ ସମସ୍ୟାକୁ ନେଇ ସମସ୍ତ ବ୍ୟବସ୍ଥା କରାଯାଉଥିବା ନେଇ ଭୁବନେଶ୍ୱର ମେୟର ସୁଲୋଚନା ଦାସ କହିଛନ୍ତି । ଅଧିକ ବର୍ଷା ହେଲେ ସହରାଞ୍ଚଳରେ ଜଳବନ୍ଦୀର ସମସ୍ୟା ଦେଖାଯାଏ ବୋଲି ମେୟର କହିଛନ୍ତି । ଦିଲ୍ଲୀ, ମୁମ୍ବାଇ ଭଳି ସହରରେ ମଧ୍ୟ ଏହା ଦେଖାଯାଉଛି । ଯେହେତୁ ଅଧିକ ବର୍ଷା ହେଉଛି ଆମକୁ ସତର୍କ ରହିବାକୁ ହେବ । ସେ କହିଛନ୍ତି, ଗତବର୍ଷ ବିଏମସିରେ ଜଳବନ୍ଦୀ ସମସ୍ୟାକୁ ନେଇ ୭୨ ଟି ସମ୍ବେଦନଶୀଳ ସ୍ଥାନ ରହିଥିଲା । କିଛି ସ୍ଥାନରେ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଇଛି ।