fbpx

ଆଜିଠୁ ଆରମ୍ଭ ହେଲା ମୌସୁମୀ ଅଧିବେଶନ: ଶୋକପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିଠୁ ଆରମ୍ଭ ହୋଇଛି ରାଜ୍ୟର ମୌସୁମୀ ଅଧିବେଶନ। ବାଚସ୍ପତି ଆସନରେ ନୂଆ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହ ପରିଚାଳନା କରୁଛନ୍ତି । ପୁର୍ବପରି ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଚଳିତ ମୌସୁମୀ ଅଧିବେଶନରେ ମୋଟ୨୪ଟି କାର୍ଯ୍ୟଦିବସ ରହିଛି। ଆଜିର ଅଧିବେଶନ ଆରମ୍ଭରେ ଦିବଗନ୍ତ ବିଧାୟକ ସୁରେନ୍ଦ୍ର କଅଁରଙ୍କ ପାଇଁ ଗୃହରେ ଶୋକ ପ୍ରସ୍ତାବ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ସମର୍ଥନ କରିଛନ୍ତି ବିରୋଧୀ ବିଜେପି ଏବଂ କଂଗ୍ରେସ।

ଅଧିବେଶନର ପ୍ରଥମ ଦିନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିବେ। ଚଳିତ ମାସ ୩୦ ତାରିଖରେ ବ୍ୟୟମଞ୍ଜୁରୀ ବିଲ୍‌ ଉପସ୍ଥାପନ କରାଯିବ। ଏହି ଅଧିବେଶନ ୨ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ଜୁଲାଇ ୭ ତାରିଖରୁ ୧୩ ତାରିଖ ପର୍ୟ୍ୟନ୍ତ ଗୃହ ମୁଲତବୀ ରହିବ। ୧୪ରୁ ଦ୍ୱିତୀୟ ପର୍ୟ୍ୟାୟ ଅଧିବେଶନ ଆରମ୍ଭ ହେବ। ଅଗଷ୍ଟ ୨ ଓ ୪ ତାରିଖ ପ୍ରାଇଭେଟ୍‌ ମେମ୍ବର୍ସ ବିଲ୍‌ପାଇଁ ଉଦ୍ଦିଷ୍ଟ ରହିଛି ।

ସୂଚନାଯୋଗ୍ୟ ଯେ, ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ୨୦୨୨-୨୩ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍‌ ପରିବର୍ତ୍ତେ ରାଜ୍ୟ ସରକାର ୪ ମାସିଆ କାମଚଳା ବଜେଟ୍‌ ଉପସ୍ଥାପନ କରିଥିଲେ। ଏହି ଅଧିବେଶନ ପାଇଁ କମିଶନରେଟ୍‌ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଗୃହ ସୁରୁଖୁରରେ ଚଳାଇବା ପାଇଁ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.