fbpx

ସ୍ନେହ ଓ ଭଲପାଇବାରେ ନାହିଁ ଯାହାର ତୁଳନା ସେ ହେଉଛି ମାଆ, ଜାଣନ୍ତୁ ବିଶ୍ୱ ମାତୃ ଦିବସର ଇତିହାସ

ଓଡ଼ିଶା ଭାସ୍କର: ଦୁନିଆର ସବୁଠାରୁ ମଧୁର ଶବ୍ଦ ହେଉଛି ‘ମାଆ’ । ଯାହାର ବିକଳ୍ପ ନାହିଁ କି ତୁଳନା ନାହିଁ । ମାଆ ଶବ୍ଦକୁ ବର୍ଣ୍ଣନା କରିବା ପାଇଁ ଶବ୍ଦ ବି କମ୍ ପଡ଼ିଯିବ । ଦୁନିଆର ସବୁ ସୁଖ ଯେମିତି ମାଆର ପଣତ ତଳେ ରହିଛି । ଜୀବନରେ ଯେତେ ଦୁଃଖ କଷ୍ଟ ଆସିଲେ ବି ମାଆ ଆଗରେ ସବୁ ତୁଚ୍ଛ । ମାଆର ପ୍ରାର୍ଥନାରେ ଏତେ ଶକ୍ତି ରହିଛି ଯେ ସନ୍ତାନକୁ କୌଣସି ବିପଦ ଛୁଇଁପାରେ ନାହିଁ । ‘ମାଆ’ ସାମ୍ନାରେ ଯେମିତି ସବୁକିଛି ଫିକା ପଡ଼ିଯାଏ । ମାଆର ଅସ୍ତିତ୍ୱ ଜୀବନରେ ପୂର୍ଣ୍ଣତା ଆଣିଥାଏ ।

ମାଆ ପାଇଁ ମନରେ କେତେ ଭଲପାଇବା ରହିଛି ତାକୁ ଜାହିର କରିବା ପାଇଁ କୌଣସି ବିଶେଷ ଦିନର ଆବଶ୍ୟକତା ନାହିଁ । କିନ୍ତୁ ମାଆର ଭଲପାଇବା, ତ୍ୟାଗ ଓ ତପସ୍ୟାର ସମ୍ମାନ ଜଣାଇବା ପାଇଁ ଯେମିତି ଏହି ବିଶେଷ ଦିନ ବାହାନା ଓ ସୁଯୋଗ ଦେଇଥାଏ । ମାଆର ଭଲପାଇବାରେ କୌଣସି ସର୍ତ୍ତ ନଥାଏ । ଆକଟ ବି କରେ, ଆଦର ବି କରେ କିନ୍ତୁି କୌଣସି ପରିସ୍ଥିତିରେ ସନ୍ତାନର ସାଥ୍ ଛାଡ଼ି ନଥାଏ । ସେ ସନ୍ତାନ ପାଇଁ ଦୁନିଆ ସାମ୍ନାରେ ନଇଁପାରେ ଏବଂ ଆବଶ୍ୟକସ୍ଥଳେ ସନ୍ତାନ ସାମ୍ନାରେ ଦୁନିଆକୁ ନୁଆଁଇ ପାରେ । ସ୍ନେହମୟୀ, କରୁଣାମୟୀ ଓ ଦୟାମୟୀ ମାଆର ପାଦ ତଳେ ସ୍ୱର୍ଗ ରହିଛି ।

ମାତୃ ଦିବସକୁ ଲୋକପ୍ରିୟ ଓ ପାଳନ କରିବାର ପରମ୍ପରା ପ୍ରଥମେ ଆମେରିକାରେ ଆରମ୍ଭ ହୋଇଥିଲା । ମା’ର ତ୍ୟାଗ ଓ ମମତାକୁ ମନେ ପକାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମେ’ ମାସର ଦ୍ଵିତୀୟ ରବିବାରକୁ ‘ମାତୃଦିବସ’ ଭାବେ ପାଳନ କରାଯାଏ । ଏହାର ଶ୍ରେୟ ଆମେରିକାର ଆନ୍ନା ଏମ୍‌ ଜାରଭିସ୍‌ଙ୍କୁ ଦିଆଯାଇଥାଏ । ଆନ୍ନାଙ୍କର ମା’ଙ୍କର ଦେହାନ୍ତ ହେବାର ଦୁଇବର୍ଷ ପରେ ଆନ୍ନା ଏବଂ ତାଙ୍କ ସାଙ୍ଗମାନେ ଏକ ଅଭିଯାନ ଆରମ୍ଭ କରିଥିଲେ । ମାତୃଦିବସକୁ ଜାତୀୟ ଛୁଟିଦିନ ଘୋଷଣା ପାଇଁ ସେ ଜନସାଧାରଣଙ୍କ ସମର୍ଥନ ହାସଲ କରିଥିଲେ । ସେ ଚାହୁଁଥିଲେ ମା’ମାନେ ଜୀବିତ ଥିବାବେଳେ ତାଙ୍କ ପିଲାମାନେ ତାଙ୍କୁ ସମ୍ମାନ ଦିଅନ୍ତୁ । ମାତୃଦିବସ ପାଳନ ଦ୍ବାରା ମା’ ଏବଂ ସମଗ୍ର ପରିବାର ମଧ୍ୟରେ ସମ୍ପର୍କ ମଜଭୁତ ହେବ ବୋଲି ତାଙ୍କର ବିଶ୍ୱାସ ଥିଲା । ମେ’ ୮, ୧୯୧୪ ମସିହାରେ ଆମେରିକାର ସଂସଦରେ ଏନେଇ ଏକ ବିଲ୍‌ ପାସ ହୋଇଥିଲା ଯେଉଁଥିରେ ମେ’ ମାସର ଦ୍ଵିତୀୟ ରବିବାରକୁ ମାତୃଦିବସ ଭାବେ ପାଳନ କରିବା ପାଇଁ ଉଲ୍ଲେଖ ରହିଥିଲା । ପରେ ଆମେରିକାର ସଂସଦ ମେ’ ମାସର ଦ୍ଵିତୀୟ ରବିବାରକୁ ମାତୃଦିବସ ଭାବେ ଘୋଷଣା କରିଥିଲା । ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଉଡ୍ରୋ ଉଇଲସନ୍‌ ମଧ୍ୟ ଏହି ଦିନକୁ ଜାତୀୟ ଛୁଟି ଘୋଷଣା କରିଥିଲେ । ସେହିଦିନରୁ ମାତୃଦିବସ ପାଳନ କରାଯାଉଛି । ଏହା ପରେ ୟୁରୋପ, ଭାରତ ଓ ଅନ୍ୟ ଦେଶରେ ଏହାକୁ ସ୍ୱୀକୃତି ମିଳିଥିଲା । ମାତୃ ଦିବସ ଅବସରରେ ସଂସାରର ସବୁ ମା’ମାନଙ୍କୁ କୋଟି କୋଟି ପ୍ରଣାମ ।

Get real time updates directly on you device, subscribe now.