ନୂଆଦିଲ୍ଲୀ: ଦେଶରେ ୪ ଲେବର କୋଡ଼କୁ ଲାଗୁ କରିବାର ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଯଦି ସବୁକିଛି ଠିକ ରୁହେ, ତେବେ ଜୁଲାଇ ୧ରୁ ଲେବର କୋଡ଼ର ନୂଆ ନିୟମ ଲାଗୁ ହୋଇଯିବ । ଏହା ଲାଗୁ ହେବ ପରେ ଦରମା, କର୍ମଚାରୀଙ୍କ ଅଫିସ୍ ସମୟ, PF ଅବଦାନ, ଗ୍ରାଚ୍ୟୁଇଟି ଇତ୍ୟାଦି ଉପରେ ପ୍ରଭାବ ହେବାର ସମ୍ଭାବନା ଅଛି ।
ଏହି ଲେବର କୋଡ ଉଭୟ କର୍ମଚାରୀ ଏବଂ ନିଯୁକ୍ତିଦାତାଙ୍କୁ ଫାଇଦା ଦେବ । ନୂଆ ଲେବର କୋଡ ପରେ କର୍ମଚାରୀଙ୍କ ଦରମା, ସାମାଜିକ ସୁରକ୍ଷା ସମ୍ବନ୍ଧୀୟ ନିୟମରେ ପରିବର୍ତ୍ତନ ଆସିବ । ପେନସନ୍, ଗ୍ରାଚ୍ୟୁଇଟି, ଶ୍ରମ କଲ୍ୟାଣ, ସ୍ୱାସ୍ଥ୍ୟ ଏବଂ କାର୍ଯ୍ୟ ପରିସ୍ଥିତିରେ ପରିବର୍ତ୍ତନ ଆସିବ । ନୂଆ ଲେବର ଆଇନ କାର୍ଯ୍ୟକାରୀ ହେବା ପରେ କାର୍ଯ୍ୟ ସମୟ, ସପ୍ତାହିକ ଛୁଟି, ଛୁଟି ଇତ୍ୟାଦି ନିୟମରେ ପରିବର୍ତ୍ତନ ଆସିଛି ।
ଜୁଲାଇ ୧ ରୁ ବଦଳିଯିବ ଏହି ନିୟମ:-
ମୋଦୀ ସରକାର ଯଦି ୧ ଜୁଲାଇରେ ନୂଆ ଲେବର କୋଡ ଲାଗୁ କରନ୍ତି, ତେବେ ଆପଣଙ୍କ ଦରମା ସଂରଚନା, ପିଏଫ୍ ଅବଦାନ, କାର୍ଯ୍ୟ ସମୟ ଏବଂ ଛୁଟି ଇତ୍ୟାଦିରେ ପରିବର୍ତ୍ତନ ଆସିବ । ଏବେ ସରକାର ଦେଶର ୨୩ ଟି ରାଜ୍ୟରେ ଏହି ନିୟମଗୁଡ଼ିକର ଡ୍ରାଫ୍ଟ ନିୟମାବଳୀ ପୂର୍ବରୁ ପ୍ରକାଶ କରିଛନ୍ତି । ଯଦି ଏହା ଜୁଲାଇ ୧ ରୁ କାର୍ଯ୍ୟକାରୀ ହୁଏ, ତେବେ ଆପଣଙ୍କର ଟେକ୍ ହୋମ୍ ଦରମା ହ୍ରାସ ପାଇବ ଏବଂ ପିଏଫ୍ ଅବଦାନ ବୃଦ୍ଧି ପାଇବ । ଏହା ସହ ଆପଣଙ୍କ କାମ ସମୟ ବଦଳିପାରେ । ଛୁଟିଦିନରେ ପରିବର୍ତ୍ତନ ହୋଇପାରେ ।
ନୂଆ ଲେବର କୋଡ ଲାଗୁ ହେବା ପରେ କାର୍ଯ୍ୟ ସମୟ ଏବଂ ସପ୍ତାହିକ ଛୁଟି ମଧ୍ୟରେ ପରିବର୍ତ୍ତନ ହେବ । ନୂଆ ନିୟମରେ କାର୍ଯ୍ୟ ସମୟକୁ ୧୨ ଘଣ୍ଟା କରିବାକୁ ପ୍ରସ୍ତାବ ଦିଆଯାଇଛି । ଏଥି ସହିତ, ସାପ୍ତାହିକ ଛୁଟିକୁ ୪୮ ଘଣ୍ଟା ରଖିବାକୁ କୁହାଯାଇଛି । ଅର୍ଥାତ୍ ଯଦି ଆପଣ ଦିନକୁ ୧୨ ଘଣ୍ଟା କାମ କରନ୍ତି, ତେବେ ୪ ଦିନ କାମ କରିବା ପରେ ଆପଣ ୩ ଦିନ ଛୁଟି ପାଇବେ ।
ନୂଆ ନିୟମରେ ଓଭରଟାଇମ୍ ୫୦ ଘଣ୍ଟାରୁ ୧୨୫ ଘଣ୍ଟାକୁ ବୃଦ୍ଧି କରାଯାଇଛି । ତାହା ହେଉଛି, ଯଦି ଆପଣ ଛୁଟିରେ କାମ କରନ୍ତି, ତେବେ ଆପଣ ଅତିରିକ୍ତ ଟଙ୍କା ରୋଜଗାର କରିପାରିବେ । ଏହା ବ୍ୟତୀତ ପୂଆ ନିୟମରେ, କର୍ମଚାରୀଙ୍କୁ ଛୁଟି ପାଇବାକୁ ଯୋଗ୍ୟ ହେବା ପାଇଁ ୨୪୦ ଦିନ ପରିବର୍ତ୍ତେ ୧୮୦ ଦିନ କାମ କରିବାକୁ ପଡିବ ।