ସାବଧାନ! ଏବେ ପାକିସ୍ତାନ କରୁଛି ସାଇବର ଆଟାକ, ବ୍ୟାଙ୍କ ଅଧିକାରୀଙ୍କ ସହ ଅର୍ଥମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ପାକିସ୍ତାନ ସାଇବର ଆକ୍ରମଣ ଜରିଆରେ ଭାରତର ଆର୍ଥିକ ବ୍ୟବସ୍ଥାକୁ ଟାର୍ଗେଟ କରିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏହି ଆଶଙ୍କାକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ଅର୍ଥ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ, ବ୍ୟାଙ୍କ ଏବଂ ଆର୍ଥିକ ଅନୁଷ୍ଠାନଗୁଡ଼ିକର ପ୍ରତିନିଧିଙ୍କ ସହ ନୂଆଦିଲ୍ଲୀରେ ଏକ ଜରୁରୀ ବୈଠକ କରିଛନ୍ତି।

ବୈଠକରେ ସାଇବର ସୁରକ୍ଷା ମଜବୁତ କରିବା ଏବଂ ବ୍ୟାଙ୍କ ତଥା ଆର୍ଥିକ ଅନୁଷ୍ଠାନଗୁଡ଼ିକର ସଞ୍ଚାଳନ ପ୍ରସ୍ତୁତିର ଉଚ୍ଚସ୍ତରୀୟ ସମୀକ୍ଷା କରାଯାଇଛି। ଅର୍ଥମନ୍ତ୍ରୀ ସମସ୍ତ ବ୍ୟାଙ୍କକୁ ‘ଅଲର୍ଟ ମୋଡ୍’ରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି, ଯାହା ଦ୍ୱାରା ସାଇବର ଆକ୍ରମଣର ସମ୍ଭାବନାକୁ ନଷ୍ଟ କରାଯାଇପାରିବ।

ସୂଚନା ଅନୁଯାୟୀ, ଏହି ବୈଠକ ପାକିସ୍ତାନ ଦ୍ୱାରା ସମ୍ଭାବ୍ୟ ସାଇବର ହମଲା ଏବଂ ସୀମାରେ ଚାଲିଥିବା ‘ଅପରେସନ୍ ସିନ୍ଦୁର’ର ପୃଷ୍ଠଭୂମିରେ ଅନୁଷ୍ଠିତ ହୋଇଛି। ଏକ୍ସ ପୋଷ୍ଟ ଅନୁସାରେ, ଏହି ବୈଠକ ଯୁଦ୍ଧପରି ସ୍ଥିତିକୁ ଦୃଷ୍ଟିରେ ରଖି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା।

ବିଶେଷଜ୍ଞମାନେ କହୁଛନ୍ତି ଯେ, ପାକିସ୍ତାନ ସାଇବର ଆକ୍ରମଣ ଜରିଆରେ ଭାରତର ଆର୍ଥିକ ବ୍ୟବସ୍ଥା, ବିଶେଷକରି ବ୍ୟାଙ୍କିଙ୍ଗ ସେକ୍ଟରକୁ ଅସ୍ଥିର କରିବାକୁ ଚେଷ୍ଟା କରିପାରେ। ଏହି ପରିପ୍ରେକ୍ଷୀରେ ଭାରତୀୟ ସାଇବର ସୁରକ୍ଷା ଏଜେନ୍ସିଗୁଡ଼ିକୁ ମଧ୍ୟ ସତର୍କ କରାଯାଇଛି।