ଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି: ସାରା ରାଜ୍ୟରେ ସକାଳ ୯ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ କୋଚିଂ ସଂସ୍ଥାରେ କ୍ଲାସ ବନ୍ଦ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଅନେକ ଶିକ୍ଷକ ଘରୋଇ କୋଚିଂ ସେଣ୍ଟରରେ ପାଠ ପଢ଼ାଇ ଅଧିକ ଅର୍ଥ ଉପାର୍ଜନ କରୁଥିବା ଦେଖାଯାଉଛି । ସହରର ଗଳିକନ୍ଦିରେ ଛତୁ ଫୁଟିଲା ପରି କୋଚିଂ ସେଣ୍ଟର ଖୋଲୁଥିବାରୁ ଛାତ୍ରଛାତ୍ରୀମାନେ କୋଚିଂରେ ବ୍ୟସ୍ତ ରହି ସ୍କୁଲକୁ ଯାଉ ନଥିବା ଦେଖାଯାଉଛି । ଫଳରେ ସ୍କୁଲରେ ଛାତ୍ରଛାତ୍ରୀଙ୍କର ଉପସ୍ଥାନ ହ୍ରାସ ପାଉଥିବା ଦେଖାଯାଉଛି ।

ତେବେ ଏହାକୁ ଦୃଷ୍ଟିରେ ରଖି ବିହାର ଶିକ୍ଷା ବିଭାଗ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ଏଣିକି କୌଣସି ଘରୋଇ କି ସରକାରୀ ଶିକ୍ଷକ କୋଚିଂ ସେଣ୍ଟରରେ ପାଠ ପଢ଼ାଇ ପାରିବେନି । ସକାଳ ୯ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ କୋଚିଂ ସଂସ୍ଥାରେ କ୍ଲାସ ଚାଲିପାରିବ ନାହିଁ । ଏହି ଅବଧି ପରେ କୋଚିଂ କ୍ଲାସ ଚାଲିପାରେ । କୌଣସି କୋଚିଂ ସଂସ୍ଥା ସରକାରୀ ଓ ଘରୋଇ ଶିକ୍ଷକ, କର୍ମଚାରୀଙ୍କୁ ଶିକ୍ଷକ ଭାବେ ନିଯୁକ୍ତି ଦେଇପାରିବେନି । ଯଦି କୌଣସି ସରକାରୀ କର୍ମଚାରୀ କୋଚିଂ ସଂସ୍ଥାରେ କାର୍ଯ୍ୟ କରୁଥିବେ ସେନେଇ ଡିଏମଙ୍କୁ ସୂଚନା ଦେବା ଜରୁରୀ ।

ଶିକ୍ଷା ବିଭାଗ ପକ୍ଷରୁ ଏନେଇ ସମସ୍ତ ଜିଲ୍ଲାର ଡିଏମଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ସକାଳ ୯ରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ କୋଚିଂ ସଂସ୍ଥାର କ୍ଲାସ ଉପରେ ରୋକ ଲାଗୁ କରାଯାଇଥିବା ଶିକ୍ଷା ସଚିବଙ୍କ ପକ୍ଷରୁ ଜାରି ଚିଠିରେ ଉଲ୍ଲେଖ କରାଯାଇଛି । ଅଗଷ୍ଟ ମାସ ୩୧ ତାରିଖଠାରୁ ଏହି ନିୟମ ଲାଗୁ ହେବ । ଏହି ଅଭିଯାନ ୩ଟି ପର୍ଯ୍ୟାୟରେ କାର୍ଯ୍ୟକାରୀ କରିବା ପାଇଁ ଡିଏମଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନିୟମ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି ।