ଗଣତନ୍ତ୍ର ଦିବସରେ ଓଡ଼ିଶାକୁ ମିଳିଲାନି ସ୍ଥାନ, ଗତବର୍ଷ ପାଇଥିଲା ପ୍ରଥମ ପୁରସ୍କାର

ଚଳିତ ବର୍ଷର ଶୀର୍ଷକ ‘ସ୍ୱର୍ଣ୍ଣିମ ଭରତ: ବିରାସତ ଓ ବିକାଶ’ । ଭାରତ ପର୍ବ କାର୍ଯ୍ୟକ୍ରମରେ ଛିଡ଼ା ରହିବ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ।

ଭୁବନେଶ୍ୱର: ଚଳିତ ବର୍ଷ ଜାତୀୟ ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପରେଡରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ସାମିଲ ହେବ ନାହିଁ । ଗତବର୍ଷ ପାଳିତ ୭୫ତମ ରିପବ୍ଲିକ୍ ଡେ’ ପରେଡରେ ରାଜ୍ୟ କାଟେଗୋରୀରେ ଓଡ଼ିଶା ପ୍ରଥମ ପୁରସ୍କାର ହାସଲ କରିଥିଲା ।
କିନ୍ତୁ ଚଳିତବର୍ଷ ପ୍ରତିରକ୍ଷା ମନ୍ତ୍ରଣାଳ ପକ୍ଷରୁ ଓଡ଼ିଶାର ପ୍ରଜ୍ଞାପନ ମେଢ଼କୁ ରିଜେକ୍ଟ କରିଦିଆଯାଇଥିବା ସୂଚନା ମିଳିଛି ।

ତେବେ ସାଧାରଣତନ୍ତ୍ର ଦିବସ ପାଇଁ ଆୟୋଜିତ ଭାରତ ପର୍ବ କାର୍ଯ୍ୟକ୍ରମରେ ସାମିଲ ହେବ ଓଡ଼ିଶାର ପ୍ରଜ୍ଞାପନ ମେଢ଼ । କାର୍ଯ୍ୟକ୍ରମରେ ଓଡ଼ିଶାକୁ ସ୍ଥାନ ଦିଆଯାଇଥିବାବେଳେ ପର୍ବ ବୁଲିବାକୁ ଆସୁଥିବା ବ୍ୟକ୍ତି ଏହି ପ୍ରଜ୍ଞାପନ ମେଢ଼କୁ ଦେଖିପାରିବେ । ଏହି କାର୍ଯ୍ୟକ୍ରମ ଜାନୁଚଆରୀ ୨୬ରୁ ୩୧ ତାରିଖ ପର୍ଯ୍ୟନ୍ତ ଲାଲକିଲ୍ଲାଠାରେ ଅନୁଷ୍ଠିତ ହେବ ।

୯୦ ମିନିଟ ପରେଡ୍

ଦାଦ୍ରା ନଗର ହାବେଲି, ଡାମନ, ଡିଉ ଏବଂ ଚଣ୍ଡିଗଡ଼ ଭଳି କେନ୍ଦ୍ର ଶାସିତ ଅଞ୍ଚଳ ସମେତ ଆନ୍ଧ୍ରପ୍ରଦେଶ, ବିହାର, ଗୋଆ, ଗୁଜୁରାଟ, ହରିୟାଣା, ଝାଡଖଣ୍ଡର ପ୍ରଜ୍ଞାପନ ମେଢ଼ ୨୬ ଜାନୁଆରୀ ପରେଡରେ ସ୍ଥାନ ପାଇଛନ୍ତି ।

ଚଳିତ ବର୍ଷ ପାଇଁ ଗଣତନ୍ତ୍ର ଦିବସର ଶୀର୍ଷକ ରହିଛି ‘ସ୍ୱର୍ଣ୍ଣିମ ଭରତ: ବିରାସତ ଓ ବିକାଶ’ । ସେହିପରି ଏଥରକ କର୍ତ୍ତବ୍ୟପଥରେ ପରେଡ୍ ଜଲଦି ସାରିବାର ଲକ୍ଷ୍ୟ ରଖିଛନ୍ତି ସରକାର । ୯୦ ମିନିଟରେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ସାରିବା ନେଇ କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଛି ।

ଉଭୟ ରାଜ୍ୟ ଓ କେନ୍ଦ୍ରରେ ଭାଜପା ସରକାର ଥାଇ ମଧ୍ୟ ଓଡ଼ିଶା ଗଣତନ୍ତ୍ର ଦିବସରୁ ବାଦ୍ ପଡ଼ିବା ନେଇ ଚର୍ଚ୍ଚା ଜୋର ଧରିଛି ।