ଲକ୍ଷନଉ: ଆଜିକାଲି ସମସ୍ତଙ୍କୁ ଘାରିଛି ଅଭିନୟର ନିଶା, ଯାହାର ଫାଇଦା ଉଠାଉଛନ୍ତି ଦଲାଲି ମାନେ । ମଡେଲିଂ ବା ଅଭିନୟ କରିବାର ଲୋଭ ଦେଖାଇ ନିରୀହ ଯୁବତୀଙ୍କୁ ଠକୁଛନ୍ତି । ସେହିପରି ଉତ୍ତରପ୍ରଦେଶ ଲଖନଉର ଗୋମତିନଗର ଥାନାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ଯୁବତୀଙ୍କୁ ମଡେଲିଂ କରିବା ବାହାନାରେ ବଡ଼ ଧୋକା ମିଳିଛି । ପୀଡିତାଙ୍କୁ ନେଇ ପ୍ରଥମେ ନଗ୍ନ ଫଟୋସୁଟ୍ ହୋଇଥିଲା ଓ ପରେ ଫଟୋଗୁଡିକୁ ସୋସିଆଲ ମିଡିଆରେ ଅପଲୋଡ୍ କରାଯାଇଥିଲା । ଏବେ ଅଭିଯୁକ୍ତ ଦ୍ୱାରା ୨ ଲକ୍ଷ ଟଙ୍କାର ଦାବି କରାଯାଉଛି । ଏହି ମାମଲାରେ ଏଫଆଇଆର ରୁଜୁ ହେବା ସହିତ ତଦନ୍ତ ଜାରି ରହିଛି ।
ତେବେ ପୀଡିତାଙ୍କୁ ତାଙ୍କର ଜଣେ ସହଯୋଗୀ ବନାରସ ଆସିବାକୁ ଅଫର୍ ଦେଇଥିଲେ । ମଡେଲିଂ ଦୃଷ୍ଟିରୁ ଏକ ଶାନଦାର୍ ବିଜ୍ଞାପନ ଶୁଟ୍ ହେବ ବୋଲି କୁହାଯାଇଥିଲା । ଏହି ସମୟରେ ପୀଡିତାଙ୍କୁ କୌଣସି ଧାରଣା ନଥିଲା ବିଜ୍ଞାପନ ଆଳରେ ତାଙ୍କୁ ବଡ଼ ଧୋକା ମିଳିବ ବୋଲି। ସେ ନିଜ ସହଯୋଗିର କଥାରେ ଆସି ବିଜ୍ଞାପନ ସୁଟିଂ ପାଇଁ ବନାରସ ପହଞ୍ଚି ଥିଲେ ।
ବନାରସରେ ପୀଡିତାଙ୍କ ଏକ ଆଡ୍ ଶୁଟ୍ କରାଯାଇଥିଲା । କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ, ମଡେଲିଂ ନାଁରେ ପୀଡିତାଙ୍କ ନଗ୍ନ ଫଟୋ ସୁଟ୍ ହୋଇଥିଲା । ପରେ ଏହି ଫଟୋକୁ ଟେଲିଗ୍ରାମ ପରି ଅନେକ ସୋସିଆଲ ମିଡିଆରେ ସେୟାର କରାଯାଇଥିଲା । ଯେତେବେଳେ ପୀଡିତା ଏବିଷୟରେ ଜାଣିଲେ, ସେବେ ସେ ଫଟୋ ହଟାଇବାକୁ କହିଥିଲେ । କିନ୍ତୁ ଅଭିଯୁକ୍ତ ଏହା ବଦଳରେ ୨ ଲକ୍ଷ ଟଙ୍କା ମାଗି ବ୍ଲାକମେଲିଂ ଆରମ୍ଭ କରିଥିଲା । ଏନେଇ ବାଧ୍ୟହୋଇ ପୀଡିତା ଥାନାରେ ଅଭିଯୋଗ କରିଛନ୍ତି ।