fbpx

ରାଜ୍ୟର ମେଧାବୀଙ୍କୁ ମିଳିବ ଆର୍ଥିକ ସହାୟତା: ୫ ବର୍ଷରେ ଖର୍ଚ୍ଚ ହେବ ୧୦ କୋଟି, ସିଭିଲ୍ ସର୍ଭିସ୍ କୋଚିଂ ପାଇଁ ଉଚ୍ଚଶିକ୍ଷା ବିଭାଗର ଯୋଜନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରଶାସନିକ ସେବା ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ସିଭିଲ ସର୍ଭିସ କୋଚିଂ ପାଇଁ ଉଚ୍ଚଶିକ୍ଷା ବିଭାଗ ନୂଆ ଯୋଜନା କରୁଛି । ଏନେଇ ଆସନ୍ତା ୨୧ ତାରିଖରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ତେବେ ଏନେଇ ଦୁଇଟି ଯୋଜନା କାର୍ଯ୍ୟକାରୀ ହୋଇଥିଲା, ମାତ୍ର ତାହା କୌଣସି କାରଣରୁ ସଫଳତା ହାସଲ କରିପାରି ନଥିଲା ।

ଏଣିକି ସରକାର କୋଚିଂ ପାଇଁ ସିଧାସଳଖ ଅର୍ଥ ପ୍ରଦାନ କରିବାକୁ ଯୋଜନା କରୁଛନ୍ତି । ତେବେ ବୈଠକରେ କି ନିଷ୍ପତ୍ତି ହେଉଛି ତାହା ଉପରେ ସର୍ଭିଙ୍କ ନଜର ରହିଛି । ରାଜ୍ୟର ଗରିବ ଓ ମେଧାବୀଙ୍କୁ ମାଗଣାରେ ପ୍ରଶିକ୍ଷଣ ଦେବା ଲକ୍ଷ୍ୟରେ ରାଜ୍ୟ ସରକାର ଯୋଜନା ଲାଗୁ କରିଥିଲେ । ସେଥିପାଇଁ ୮ଟି ବିଶ୍ୱବିଦ୍ୟାଳୟ ସହିତ ଭୁବନେଶ୍ୱରର ଏକ କୋଚିଂ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଥିଲା ।

ତେବେ ଏହି ଯୋଜନାରେ କେତେ ସଂଖ୍ୟକ ପିଲା ସଫଳତା ହାସଲ କରିଥିଲେ ସେନେଇ ଉପଯୁକ୍ତ ତଥ୍ୟ ମିଳିପାରି ନଥିଲା । ତେବେ ଆସନ୍ତା ବୈଠକରେ ୩ଟି ଯୋଜନା ଉପରେ ଆଲୋଚନା କରାଯିବ ବୋଲି ଜଣାପଡ଼ିଛି । ପୂର୍ବ ଯୋଜନା ବାବଦରେ ସରକାର ଗତ ୨୦୧୬-୧୭ ୨ କୋଟିରୁ ଅଧିକ ଅର୍ଥ ଖର୍ଚ୍ଚ କରିଥିଲେ । ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟଙ୍କୁ ସେଥିପାଇଁ ଲକ୍ଷ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା । ୨୦୧୯ରେ ରାଜ୍ୟ ସରକାର ଏକ କୋଚିଂ ସଂସ୍ଥାକୁ ମଧ୍ୟ ୫୦ ଲକ୍ଷରୁ ଅଧିକ ଅର୍ଥ ପ୍ରଦାନ କରିଥିଲେ । ତେବେ ଆସନ୍ତା ୫ ବର୍ଷ ମଧ୍ୟରେ ଏହି ଯୋଜନାରେ ୧୦ କୋଟି ଖର୍ଚ୍ଚ ହେବ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.