fbpx

ମାନବ ଶବକୁ ‘କମ୍ପୋଷ୍ଟ୍’ କରିବାକୁ ମିଳିଲା ଅନୁମତି

ମାନବ ଶବ ‘କମ୍ପୋଷ୍ଟ୍’କୁ (ଶଢ଼ା ଖତ) ଆଇନସମ୍ମତ କରାଇବାରେ ନ୍ୟୁୟର୍କ ହେଉଛି ଯୁକ୍ତରାଷ୍ଟ୍ର ଆମେରିକାର ସଦ୍ୟତମ ରାଜ୍ୟ ବୋଲି ‘ବିବିସି’ ରିପୋର୍ଟ ପ୍ରକାଶ କରିଛି । ‘ବିବିସି’ ରିପୋର୍ଟ ଅନୁସାରେ, ମୃତ୍ୟୁ ପରେ ଜଣେ ବ୍ୟକ୍ତିଙ୍କ ଶବକୁ ଏବେ ମାଟିରେ ପରିଣତ କରାଯାଇ ପାରିବ । କବର ଦେବା କିମ୍ବା ପୋଡ଼ିବା ଅପେକ୍ଷା ମାନବ ଶବକୁ ଖତରେ ପରିଣତ କରିବା ପରିବେଶ ଅନୁକୂଳ ବିକଳ୍ପ ବୋଲି ଏହି ଆଇନରେ ବିବେଚନା କରାଯାଇଛି । ଏହି ବ୍ୟବସ୍ଥା ଅନୁସାରେ, ମାନବ ଶବକୁ ଗୋଟାଏ ଆଧାର ମଧ୍ୟରେ କିଛି ସପ୍ତାହ ରଖି ଶଢ଼ାଇ ଦିଆଯାଏ ।

ଏହି ପ୍ରକ୍ରିୟା ‘ପ୍ରାକୃତିକ ଜୈବ ବିଘଟନ’ ନାମରେ ମଧ୍ୟ ଜଣାଶୁଣା । ୨୦୧୯ରୁ ଆରମ୍ଭ ହୋଇଥିବା ମାନବ ଶବ ଖତ ପ୍ରକ୍ରିୟାକୁ ଆଇନସମ୍ମତ କରିବାରେ ନ୍ୟୁୟର୍କ ହେଉଛି ୬ଷ୍ଠ ଆମେରିକୀୟ ରାଜ୍ୟ । କିନ୍ତୁ, ଏଥିପାଇଁ ଉକ୍ତ ଦେହାବଶେଷକୁ ସାର୍ଟିଫିକେଟ୍ ପ୍ରାପ୍ତ ‘ସିମେଟେରି କର୍ପୋରେସନ୍’କୁ ଦିଆଯିବା ଆବଶ୍ୟକ । ଖତ ପ୍ରକ୍ରିୟାକରଣ ନିମନ୍ତେ ସବୁ ପ୍ରକାର ସୁବିଧା ଉକ୍ତ ପ୍ରତିଷ୍ଠାନରେ କାଠ ଚୋପି, ଆଲ୍ଫାଆଲ୍ଫା ଏବଂ ଘାସକୁଟା ସହିତ ଗୋଟାଏ ମୁଦଦିଆ (ସିଲ୍ କରାଯାଇଥିବା) ପାତ୍ରରେ ବା ଆଧାରରେ ରଖାଯାଏ । କିଛି ଦିନ ଧରି ଏହାକୁ ବ୍ୟାକ୍ଟେରିଆ (ଅଣୁଜୀବ) ସହାୟତାରେ ଶଢ଼ାଇ ଦିଆଯାଏ ।

ପ୍ରାୟ ମାସେ ପରେ ଉକ୍ତ ଶବ-ମାଟିରୁ ଉତ୍ତପ୍ତ କରି ସଂକ୍ରମଣକାରୀ ଅଣୁଜୀବଙ୍କୁ ମାରି ଦିଆଯାଏ । ତା’ପରେ ଉକ୍ତ ମାଟିକୁ ତାଙ୍କ (ମୃତବ୍ୟକ୍ତିଙ୍କ) ପ୍ରିୟଜନଙ୍କୁ ହସ୍ତାନ୍ତର କରାଯାଏ । ଏହି ଶବ-ମାଟି ବା ଖତକୁ ବୃକ୍ଷ, ପନିପରିବା ଓ ଫୁଲଗଛ ରୋପଣ ଆଦିରେ ବ୍ୟବହାର କରାଯାଏ । ‘ବିବିସି’ ଆହୁରି ମଧ୍ୟ ଲେଖିଛି ଯେ, ମାନବ ଶବ ଖତ କେବଳ ପରିବେଶ ଅନୁକୂଳ ନୁହେଁ, ଶ୍ମଶାନ ପାଇଁ ସ୍ୱଳ୍ପ ସ୍ଥାନ ଥିବା ସହରମାନଙ୍କ ପାଇଁ ବି ଉତ୍ତମ । କିନ୍ତୁ, ମାନବାବଶେଷକୁ ‘ଘରର ଆବର୍ଜନା’ ଭାବେ ବିବେଚନା କରା ନ ଯିବା ଉଚିତ କହି ନ୍ୟୁୟର୍କର କ୍ୟାଥୋଲିକ୍ ବିଶପ୍ ଏହି ବ୍ୟବସ୍ଥାର ବିରୋଧ କରିଛନ୍ତି ।

Get real time updates directly on you device, subscribe now.