ପୋଷାକ ବିକି ଦେବି, ହେଲେ ଅଟା ମହଙ୍ଗା ହେବାକୁ ଦେବି ନାହିଁ: ପାକିସ୍ତାନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପାକିସ୍ତାନରେ ଚଳିତ ବର୍ଷ ଗହମ ଉତ୍ପାଦନରେ ପ୍ରାୟ ୩୦ ଲକ୍ଷ ହ୍ରାସ ପାଇଥିବା ଅନୁମାନ କରାଯାଉଛି। ତେଣୁ ଗହମ ମୂଲ୍ୟ ଅହେତୁକ ବଢିବାର ଆଶଙ୍କା ପ୍ରକାଶ ପାଇଛି। ତେବେ କୌଣସି ବି ସ୍ଥିତିରେ ଅଟା ମହଙ୍ଗା ହେବାକୁ ଦେବେ ନାହିଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ଶେହବାଜ ସରିଫ। ଦରକାର ପଡିଲେ ପୋଷାକ ବିକି ଦେବି ବୋଲି ସେ କହିଛନ୍ତି। ଖଇବର ପଖତୁନଖଓ୍ଵାର ଶାଙ୍ଗଲା ଜିଲ୍ଲାର ବିଶମ ତହସିଲରେ ପାକିସ୍ତାନ ମୁସଲିମ ଲିଗ ନଓ୍ଵାଜ(ପିଏମଏଲ-ଏନ)ର ଜନସଭାକୁ ସମ୍ବୋଧିତ କରି ସରିଫ ରାଜ୍ୟରେ ଅଟା ମୂଲ୍ୟ କମ କରିରବାକୁ ସଂକଳ୍ପ ନେଇଛନ୍ତି।

ସରିଫ ଘୋଷଣା କରିଛନ୍ତି ଯେ, ସେ ବେଶ୍ ଭଲ ଭାବେ ଜାଣିଛନ୍ତି ରାଜ୍ୟରେ ଅଟା ମୂଲ୍ୟ କେମିତି କମ କରାଯାଇ ପାରିବ। ରାଜ୍ୟ ସରକାରଙ୍କୁ ନିଜ ଖର୍ଚ୍ଚରେ ଅଟା ଦାମ କମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରିପୋର୍ଟ ଅନୁଯାୟୀ, ଦେଶର ପ୍ରଧାନମନ୍ତ୍ରୀ କାର‌୍ୟ୍ୟାଳୟ(ପିଏମଓ) ଶନିବାର କହିଛନ୍ତି, ଦେଶରେ ଲକ୍ଷ୍ୟ ରଖାଯାଇଥିବା ୨୮.୮୯ ମିଲିୟନ ଟନ ଗହମ ଉତ୍ପାଦନ ତୂଳନାରେ ୨୬.୧୭୩ ଟନ ରହିବାର ଅନୁମାନ କରାଯାଇଛି। ହେଲେ ଦେଶରେ ୩୦.୭୯ ମିଲିୟନ ଟନ ଖର୍ଚ୍ଚ ହୁଏ।

ଗହମ ଚାଷ ପାଇଁ ଜମି, ପାଣି, ଉର୍ବରକର ଅଭାବ ଏବଂ ସମର୍ଥନ ମୂଲ୍ୟ ଘୋଷଣାରେ ବିଳମ୍ବ କାରଣରୁ ଚଳିତ ବର୍ଷ ପାକିସ୍ତାନରେ ଗହମ ଉତ୍ପାଦନ କମିଥିବା କୁହାଯାଉଛି। ତେଲ ଦର ବୃଦ୍ଧି ଏବଂ ସ୍ଵାଭାବିକଠୁ ଅଧିକ ଗ୍ରୀଷ୍ମ ପ୍ରବାହ ଏହାର କାରଣ ମଧ୍ୟ ହୋଇପାରେ। ଫଳରେ ଗହମ ଉତ୍ପାଦନ ଦୁଇ ପ୍ରତିଶତ କମିଛି। ରୁଷ-ୟୁକ୍ରେନ ଯୁଦ୍ଧର ପ୍ରଭାବ ମଧ୍ୟ ପାକିସ୍ତାନ ଉପରେ ପଡିଛି।

ଜନସଭାକୁ ସମ୍ବୋଧିତ କରିବା ସମୟରେ ଶେହବାଜ ସରିଫ ପୂର୍ବର ଇମ୍ରାନ ଖାନ ସରକାର ଉପରେ ଖୁବ୍ ବର୍ଷିଛନ୍ତି। ସେ କହିଛନ୍ତି ନାଗରିକଙ୍କୁ ମୌଳିକ ଅଧିକାର ପ୍ରଦାନ କରିବା ଯୋଜନା ଉପରେ କାମ କରିବା ପରିବର୍ତ୍ତେ ଦେଶଦ୍ରୋହୀ ଏବଂ ଘନିଷ୍ଠଙ୍କୁ ପ୍ରମାଣ ପତ୍ର ବିତରଣ କରାଯାଇଛି। ପିଟିଆଇ ସରକାର ଦେଶର ଇତିହାସରେ ସବୁଠୁ ଅଧିକ ଋଣ ପ୍ରାପ୍ତ କରିଥିଲା। ମାତ୍ର ଏହି ଅର୍ଥକୁ ବିକାଶ ଏବଂ କଲ୍ୟାଣକାରୀ ଯୋଜନା ଉପରେ କିଛି ନିବେଶ କରାଗଲା ନାହିଁ।