fbpx

୨୦୧୯ର ଭୁଲ୍ ହେବନି ୨୦୨୪ରେ: ଅପରାଜିତାଙ୍କୁ ଚେକ୍ ଦେବେ ଶ୍ରୀମୟୀ, ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ବିଜେଡିର ନୂଆ ଯୋଜନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୨୦୧୯ ବିଧାନସଭା ନିର୍ବାଚନରେ ରାଜଧାନୀର ଉତ୍ତର, ମଧ୍ୟ ଓ ଏକାମ୍ର ତିନୋଟି ଆସନକୁ ବିଜେଡି କବଜା କରିଥିଲା । ମାତ୍ର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ଆଗରେ ବିଜେଡି ପ୍ରାର୍ଥୀ ଅରୁପ ପଟ୍ଟନାୟକଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ରାଜ୍ୟର ମେରୁଦଣ୍ଡ କୁହାଯାଉଥିବା ରାଜଧାନୀ ଭୁବନେଶ୍ୱରର ଛାତି ଉପରେ ଅପରାଜିତାଙ୍କ ବିଜୟକୁ ସହଜେ ଗ୍ରହଣ କରିପାରିନଥିଲା ଶାସକ ବିଜେଡି ।

ତେଣୁ ଏଥର ବିଜେଡି ଉଭୟ ଲୋକସଭା ଓ ବିଧାନସଭା ଲଢ଼େଇରେ ଅଧିକ ଆସନ ଅକ୍ତିଆର ଲକ୍ଷ୍ୟରେ ରହିଛି । ଏଥିସହିତ ରାଜଧାନୀରେ କିପରି ଅପରାଜିତାଙ୍କୁ ଚେକ୍ ଦିଆଯିବ ସେଥିପାଇଁ ଦଳ ଜଣେ ଦକ୍ଷ ମହିଳା ନେତ୍ରୀଙ୍କୁ ଆଗକୁ ଆଣିବାକୁ ଯୋଜନା କରୁଥିବା ନେଇ ଚର୍ଚ୍ଚା ହେଉଛି । ନିକଟରେ ଦଳ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର, ହିନ୍ଦୋଳ ଓ ଢେଙ୍କାନାଳ ବିଧାନସଭା କ୍ଷେତ୍ର, ତେଲକୋଇ ବିଧାନସଭା କ୍ଷେତ୍ର, ଭୁବନେଶ୍ୱର ସଂସଦୀୟ କ୍ଷେତ୍ର, ଅନୁଗୁଳ ଜିଲ୍ଲା, ପରଜଙ୍ଗ ଓ କାମାକ୍ଷାନଗର ବିଧାନସଭା କ୍ଷେତ୍ର ପାଇଁ କିଛି ଟାଣୁଆ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଇଛି ।

ତେବେ ସବୁଠାରୁ ବଡ଼ କଥା ହେଉଛି ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ସୁପ୍ରିମୋ ନବୀନ ପଟ୍ଟନାୟକ ଶ୍ରୀମୟୀ ମିଶ୍ରଙ୍କୁ ନିଯୁକ୍ତି ଦେଇଛନ୍ତି । ଶ୍ରୀମୟୀଙ୍କୁ ନୂଆ ଦାୟିତ୍ୱ ମିଳିବା ପରେ ଏବେ ରାଜଧାନୀର ରାଜନୈତିକ ମହଲରେ ଏକ ବଡ଼ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ପୂର୍ବରୁ ମେୟର ନିର୍ବାଚନରେ ଅପରାଜିତାଙ୍କ ଦବଦବାକୁ ରୋକିବା ପାଇଁ ଦଳ ସୁଲୋଚନା ଦାସଙ୍କୁ ପ୍ରାର୍ଥୀ କରିଥିଲା ଓ ସଫଳ ହୋଇଥିଲା ମଧ୍ୟ । ତେଣୁ ଆସନ୍ତା ଲୋକସଭା ଲଢ଼େଇରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ଶ୍ରୀମୟୀ ମିଶ୍ର ବିଜେଡି ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଯାଉଥିବା ରାଜନୈତିକ ବିଶ୍ଲେଷକମାନେ ପୂର୍ବାନୁମାନ କରିଛନ୍ତି ।

ତେବେ ଶ୍ରୀମୟୀଙ୍କ ନୂଆ ନିଯୁକ୍ତିକୁ ଦୁଇ ଦିନ ନ ପୂରୁଣୁ ଅପରାଜିତା-ଶ୍ରୀମୟୀଙ୍କ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଯାଇଛି । ଆଜି ଅପରାଜିତା ରାଜ୍ୟ ସରକାରଙ୍କ ଉପରେ ସିଧାସଳଖ ଆକ୍ରମଣ କରିଥିଲେ । ରାଜ୍ୟରେ ଶାସନ ବ୍ୟବସ୍ଥା ହାଇଜାକ ହୋଇଯାଇଛି । ତେଣୁ ସଚିବ ପହଞ୍ଚିବା ପୂର୍ବରୁ ନିର୍ବାଚିତ ଜନପ୍ରତିନିଧି ତାଙ୍କ ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏପରି କରୁଥିବା ସଚିବ କହୁଛନ୍ତି ବୋଲି ଅପରାଜିତ କଟାକ୍ଷ କରିଥିଲେ ।

ତେବେ ଅପରାଜିତାଙ୍କୁ କଡ଼ା ଜବାବ ଦେଇଛନ୍ତି ଶ୍ରୀମୟୀ । ସେ କହିଛନ୍ତି, ୨୦୧୯ ସାଧାରଣ ନିର୍ବାଚନ ସମୟରେ ସାଂସଦ ଦେଇଥିବା ପ୍ରତିଶ୍ରୁତି କୁଆଡ଼େ ଗଲା । ଚାକିରି ଛାଡ଼ି ରାଜନୀତିରେ ସାମିଲ ହୋଇଥିବା ନେତ୍ରୀଙ୍କର ବ୍ୟୁରୋକ୍ରାଟିକ ମାଇଣ୍ଡସେଟ୍ ଯାଇନାହିଁ । ବିଜେଡିର ବିକାଶମୂଳକ କାର୍ଯ୍ୟ ଦେଖି ସାଂସଦ କାହିଁକି ଭୟଭୀତ ବୋଲି ଶ୍ରୀମୟୀ ପ୍ରଶ୍ନ କରିଛନ୍ତି । ତେବେ ଅପରାଜିତା-ଶ୍ରୀମୟୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଟକ୍କର ଆଗକୁ ରାଜନୈତିକ ମୈଦାନରେ ଦେଖିବାକୁ ମିଳିପାରେ ବୋଲି ଏବେଠାରୁ ଚର୍ଚ୍ଚା ଆରମ୍ଭ ହୋଇ ଗଲାଣି ।

Get real time updates directly on you device, subscribe now.