ନୂଆଦିଲ୍ଲୀ: ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କୁ ଫାଇଦା ଦେବା ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କ୍ଷୁଦ୍ର ସଞ୍ଚୟ ଯୋଜନା ଆରମ୍ଭ କରାଯାଇଛି । କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ଆର୍ଥିକ ବ୍ୟାପାର ବିଭାଗ ପକ୍ଷରୁ କ୍ଷୁଦ୍ର ସଞ୍ଚୟ ଯୋଜନାର ନିବେଶ ନିୟମ ଓ ସୁଧ ହାର ସ୍ଥିର କରାଯାଇଥାଏ । ବର୍ତ୍ତମାନ ସମୟରେ କ୍ଷୁଦ୍ର ସଞ୍ଚୟ ଯୋଜନା ଅଧିନରେ ୯ଟି ଯୋଜନା ଚାଲୁଛି । ସେଥିମଧ୍ୟରେ ରିକରିଂ ଡିପୋଜିଟ (ଆରଡି), ସୁକନ୍ୟା ସମୃଦ୍ଧି ଯୋଜନା (ଏସଏସୱାଇ), ମହିଳା ସମ୍ମାନ ସେଭିଂ ସ୍କିମ ସାର୍ଟିଫିକେଟ, କିଷାନ ବିକାଶ ପାତ୍ର, ନ୍ୟାସନାଲ ସେଭିଙ୍ଗ ସାର୍ଟିଫିକେଟ ଓ ସିନିୟର ସିଟିଜେନ ସେଭିଙ୍ଗ ସ୍କିମ ସାମିଲ ରହିଛି ।
ତେବେ ନିକଟରେ ସରକାର ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ, ସିନିୟର ସିଟିଜେନ ସେଭିଂ ସ୍କିମ ଓ ଅନ୍ୟ କ୍ଷୁଦ୍ର ସଞ୍ଚୟ ଯୋଜନାର କିଛି ନିୟମରେ ପରିବର୍ତ୍ତନ କରିଛନ୍ତି । ଯଦି ଆପଣମାନେ ଏହିସବୁ ଯୋଜନାରେ ନିବେଶ କରିଥିବେ ତେବେ ଏହି ଯୋଜନାର ପରବର୍ତ୍ତିତ ନିୟମ ଉପରେ ଧ୍ୟାନ ଦେବା ଆବଶ୍ୟକ । ସିନିୟର ସିଟିଜେଟ ସେଭିଂ ସ୍କିମର ଆକାଉଣ୍ଟ ଖୋଲିବାର ଅବଧିକୁ ବୃଦ୍ଧି କରାଯାଇଛି । ଏଣିକି ଅବସର ପରେ ୪ ମାସ ମଧ୍ୟରେ ଆପଣମାନେ ଆକାଉଣ୍ଟ ଖୋଲିପାରିବେ । ପୂର୍ବରୁ ତାହା ୧ ମାସ ସମୟ ରହିଥିଲା ।
ପିପିଏଫ ସ୍କିମର ସମୟ ପୂର୍ବରୁ ଆକାଉଣ୍ଟ ବନ୍ଦ ନିୟମ ବଦଳି ଯାଇଛି । ସେହିପରି ଯଦି ଜଣେ ପାଞ୍ଚ ବର୍ଷିଆ ଯୋଜନାରେ ନିବେଶ କରିଥିବେ ଓ ସମୟ ପୂର୍ବରୁ ୪ ବର୍ଷରେ ଆକାଉଣ୍ଟ ବନ୍ଦ କରନ୍ତି ତେବେ ସୁଧର ଅର୍ଥ ପୋଷ୍ଟ ଅଫିସ ସେଭିଂ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଯିବ । ଯଦି ଜଣେ ୫ ବର୍ଷିଆ ଟର୍ମ ଡିପୋଜିଟରେ ଅର୍ଥ ନିବେଶ କରିଥିବେ ଓ ୪ ବର୍ଷରେ ଖାତା ବନ୍ଦ କରିବେ ତେବେ ୩ ବର୍ଷର ଟର୍ମ ଡିପୋଜିଟ ଆଧାରରେ ସୁଧ ହିସାବ କରାଯିବ ।