fbpx

ସମଗ୍ର ବିଶ୍ୱ ହେବ ମ୍ୟାଲେରିଆମୁକ୍ତ: ୩୦ ବର୍ଷର ଗବେଷଣା ଓ ପରୀକ୍ଷଣ ପରେ ପ୍ରଥମ ମ୍ୟାଲେରିଆ ଭ୍ୟାକ୍ସିନକୁ ସ୍ୱୀକୃତି ଦେଲା WHO

ନୂଆଦିଲ୍ଲୀ: ଆଧୁନିକ ଯୁଗର ଚିକିତ୍ସା କ୍ଷେତ୍ରରେ ବିଜ୍ଞାନର ଭୂମିକା ଅତୁଳନୀୟ । ତେବେ ଏବେ ବିଜ୍ଞାନ ମାନବ ସଭ୍ୟତା ପାଇଁ ଏକ ଆଶାର ଆଲୋକ ଦେଖାଇଛି । ୩୦ ବର୍ଷର ଗବେଷଣା ଓ ପରୀକ୍ଷା ପରେ ବିଶ୍ୱର ପ୍ରଥମ ମ୍ୟାଲେରିଆ ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ସ୍ୱୀକୃତି ଦେଇଛି । ଦୀର୍ଘ ୩୦ ବର୍ଷ ଧରି ରିସର୍ଚ୍ଚ କରିବା ପରେ ବ୍ରିଟିଶ ଔଷଧ ନିର୍ମାତା କମ୍ପାନୀ ଗ୍ଲାକ୍ସୋସ୍ମିଥକ୍ଲିନ୍ (ଜିଏସକେ) ‘ଆରଟିଏସ, ଏସ’ (ବ୍ରାଣ୍ଡ ନାମ ମସକ୍ୱିରିକ୍ସ) ନାମକ ଏକ ଭ୍ୟାକ୍ସିନ ନିର୍ମାଣ କରିବାରେ ସକ୍ଷମ ହୋଇଛି । ୨୦୧୯ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଘାନା, କେନିଆ ଓ ମାଲୱି ଆଦି ରାଷ୍ଟ୍ରର ୮ ଲକ୍ଷରୁ ଅଧିକ ପିଲାଙ୍କ ଠାରେ ପରୀକ୍ଷା କରାଯାଇଛି । ତେବେ ଏହି ଟିକାକରଣ ଦ୍ୱାରା ଅତି ଗୁରୁତର ମ୍ୟାଲେରିଆ ୩୦ ପ୍ରତିଶତ ହ୍ରାସ ପାଇବା ସହ ମୃତ୍ୟୁ ଆଶଙ୍କା ଆଦୌ ରହୁନଥିବା ବର୍ଷ ବର୍ଷ ଧରି ଚାଲିଥିବା ପରୀକ୍ଷଣରୁ ସ୍ପଷ୍ଟ ହୋଇଛି । ତେଣୁ ହୁର ମହାନିର୍ଦ୍ଦେଶକ ଟେଡ୍ରୋସ ଆଧାନୋମ୍ ଏହାକୁ ଏକ ଐତିହାସିକ ମୁହୂର୍ତ୍ତ ବୋଲି ଅଭିହିତ କରିଛନ୍ତି ।

ଦଶନ୍ଧି ଦଶନ୍ଧି ଧରି ମ୍ୟାଲେରିଆ ଟିକା ଉଦ୍ଭାବନ ନେଇ ବିଫଳତା ପରେ ଏହି ଉପଲବ୍ଧି ମାନବ ସଭ୍ୟତା ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । ତେବେ ଏହି ଟିକାର ମୂଲ୍ୟ ଅଧିକ ହୋଇନଥିବାରୁ ଏହା ବିଶ୍ୱର ଅନେକ ମ୍ୟାଲେରିଆପ୍ରବଣ ଦେଶଗୁଡ଼ିକରେ ସଞ୍ଜୀବନୀ ପରି କାର୍ଯ୍ୟ କରିବ । ଏହି ମ୍ୟାଲେିଆ ଟିକାକରଣ କାର୍ଯ୍ୟକ୍ରମରେ ହୁ ସହିତ ୟୁନିସେଫ୍ ଓ ଜିଏସକେ ସାମିଲ ହୋଇଥିଲେ । ମ୍ୟାଲେିଆ ମଣିଷକୁ ଆକ୍ରାନ୍ତ କରି ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରିଦେଉଥିବାରୁ ଅନ୍ୟ ରୋଗ ସହଜରେ ଆକ୍ରମଣ କରିପାରନ୍ତି । ତେବେ କୀଟନାଶକ ଔଷଧ ଓ ମଶାରୀ ଆଦିର ବ୍ୟବସ୍ଥା ଫଳରେ ଗତ ଦୁଇ ଦଶନ୍ଧି ମଧ୍ୟରେ ମ୍ୟାଲେରିଆ ମୃତ୍ୟୁହାର ଅଧା ହୋଇଥିଲେ ହେଁ ଅନେକ ଅଞ୍ଚଳରେ ବହୁଲୋକଙ୍କ ଏବେ ବି ମୃତ୍ୟୁ ଘଟୁଛି । ତେଣୁ ଏହି ମ୍ୟାଲେରିଆ ଭ୍ୟାକ୍ସିନ୍ ଅନେକ ଲୋକଙ୍କ ଜୀବନରକ୍ଷକ ପାଲଟିବ, ଏଥିରେ ଦ୍ୱିମତ ନାହିଁ ।

Get real time updates directly on you device, subscribe now.