fbpx

କଣ୍ଟାର ଶଯ୍ୟାରେ ପରୀକ୍ଷା ଦେଉଛନ୍ତି ନିଜକୁ ପାଣ୍ଡବଙ୍କ ବଂଶଧର ବୋଲି ପରିଚୟ ଦେଉଥିବା ଏହି ସମ୍ପ୍ରଦାୟ

ମଧ୍ୟପ୍ରଦେଶର ବୈତୁଲ ଜିଲ୍ଲାର ସେହରା ଗ୍ରାମରେ ଏକ ଭୟାନକ ପରମ୍ପରା ପାଳନ କରାଯାଇଥାଏ । ଏହି ଗ୍ରାମରେ ନିଜକୁ ପାଣ୍ଡବଙ୍କ ବଂଶଧର ବୋଲି କହୁଥିବା ରଜଡ଼ ସମ୍ପ୍ରଦାୟର କିଛି ଲୋକ ବସବାସ କରନ୍ତି । ସେମାନେ ନିଜର ଇଚ୍ଛା ପୂରଣ କରିବା ଓ ଦେବୀ ମା’ଙ୍କୁ ପ୍ରସନ୍ନ କରିବା ଉଦ୍ଦେଶ୍ୟରେ ସ୍ୱଇଚ୍ଛାରେ କଣ୍ଟାର ଶେଯରେ ଶୋଇଥାନ୍ତି ।

ସେହରା ଗାଁର ଏହି ସମ୍ପ୍ରଦାୟର ଲୋକମାନେ ପ୍ରତିବର୍ଷ ଏହି ପରମ୍ପରାକୁ ପାଳନ କରିଥାନ୍ତି । ଏହି ସମ୍ପ୍ରଦାୟ ନିଜକୁ ମହାଭାରତର ପାଣ୍ଡବଙ୍କ ବଂଶଜ ବୋଲି ମାନିଥାନ୍ତି । ପାଣ୍ଡବମାନେ କଣ୍ଟାରେ ଶୋଇ ସତ୍ୟ ପରୀକ୍ଷା ଦେଇଥିଲେ । ଫଳରେ ଏହି ସମ୍ପ୍ରଦାୟ ବର୍ଷ ବର୍ଷ ଧରି ଏହି ପରମ୍ପରାକୁ ଅନୁସରଣ କରିଆସୁଛନ୍ତି ।

ସେମାନେ କଣ୍ଟାର ଶେଯରେ ଶୋଇ ରହି ସତ୍ୟ, ଭକ୍ତି ଓ ବିଶ୍ୱାସର ପରୀକ୍ଷା ଦେଇଥାନ୍ତି । ଫଳରେ ଏହା କରିବା ଦ୍ୱାରା ଈଶ୍ୱର ସନ୍ତୁଷ୍ଟ ହୁଅନ୍ତି ଓ ସେମାନଙ୍କର ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ସେମାନଙ୍କର ବିଶ୍ୱାସ ରହିଛି ।

ଏଥିପାଇଁ ସେମାନେ ବର୍ଷର ଏକ ନିର୍ଦ୍ଦିଷ୍ଟ ମାସରେ ପୂଜାର୍ଚ୍ଚନା କରିଥାନ୍ତି । ପୂଜା ପରେ ଏକ କଣ୍ଟା ଗଛର କିଛି ଡାଳକୁ ଆଣି ପୁଣି ପୂଜା କରିଥାନ୍ତି । ଏହା ପରେ ଜଣକ ପରେ ଜଣେ ଉଲଗ୍ନ ହୋଇ ଏହି କଣ୍ଟା ଉପରେ ସତ୍ୟ ଓ ଭକ୍ତିର ପରୀକ୍ଷା ଦେଇଥାନ୍ତି ।

ଏହି ପରମ୍ପରା ପାଳନ ପଛରେ ଏକ କାହାଣୀ ରହିଛି । ଏକଦା ପାଣ୍ଡବମାନେ ଜଳ ପାଇଁ ଜଙ୍ଗଲରେ ଘୁରି ବୁଲୁଥିଲେ । ଏହି ସମୟରେ ସେମାନେ ନାହଲ ସମ୍ପ୍ରଦାୟର ଜଣେ ବ୍ୟକ୍ତିଙ୍କୁ ଦେଖିବା ପରେ ତାକୁ ଜଳ କେଉଁଠି ମିଳିବ ବୋଲି ପଚାରିଥିଲେ । ମାତ୍ର ନାହଲ ଜଣକ ଜଳର ଉତ୍ସ କହିବା ପୂର୍ବରୁ ଏକ ସର୍ତ୍ତ ରଖିଥିଲେ । ସର୍ତ୍ତମୁତାବକ ଜଳର ଉତ୍ସ ଦେଖାଇବା ପରେ ପାଣ୍ଡବଙ୍କର ଭଉଣୀଙ୍କୁ ନାହଲ ବିବାହ କରିବେ ବୋଲି କହିଥିଲେ ।

ମାତ୍ର ପାଣ୍ଡବଙ୍କର କେହି ଭଉଣୀ ନଥିବାରୁ ସେମାନେ ଭୋଦଇ ନାମକ ଏକ ଝିଅକୁ ଭଉଣୀ ରୂପେ ସ୍ୱୀକାର କରିଥିଲେ । ପରେ ରୀତିନୀତି ଅନୁଯାୟୀ ସେମାନଙ୍କର ବିବାହ ହୋଇଥିଲା । କନ୍ୟା ବିଦାୟ ସମୟରେ ନାହଲ ପରୀକ୍ଷା ପାଳନ କରିବାକୁ କହିଥିଲେ । ଫଳରେ ପାଣ୍ଡବମାନେ ଖୁସିର ସହ ଜଣକ ପରେ ଜଣେ କଣ୍ଟା ଉପରେ ଶୋଇ ରହି ନିଜର ଭଉଣୀଙ୍କୁ ନାହଲଙ୍କ ସାଥୀରେ ପଠାଇଥିଲେ ।

ଏହି ପରମ୍ପରାକୁ ୫୦ଟି ପିଢ଼ି ମାନି ଆସୁଛନ୍ତି । ଏହି ପରୀକ୍ଷା ଦେବା ପାଇଁ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ଉତ୍ସାହ ରହିଥାଏ । ଏହି ପରମ୍ପରା ୫ ଦିନ ପର୍ଯ୍ୟନ୍ତ ଚାଲିଥାଏ । ଅନ୍ତିମ ଦିବସରେ କଣ୍ଟାର ଶେଯରେ ଶୋଇ ନିଜ ଭଉଣୀଙ୍କ ବିଦାୟ ଉତ୍ସବ ପାଳନ କରନ୍ତି ।

ତେବେ ଡାକ୍ତରମାନେ ଏନେଇ ଭିନ୍ନ ମତ ଦେଇଛନ୍ତି । ସେମାନଙ୍କ କହିବା କଥା, ଶରୀରକୁ କଣ୍ଟା ଉପରେ ରଖିବା ଠିକ୍ ନୁହେଁ । ଏହାଫଳରେ ଶରୀରରେ ଗୁରୁତର ସଂକ୍ରମଣ ହେବାର ଆଶଙ୍କା ରହିଛି । ଏପରିକି ଏହି ପରମ୍ପରା ମଣିଷକୁ ମାରିଦେଇପାରେ ବୋଲି କିଛି ଡାକ୍ତର କହିଛନ୍ତି ।

Get real time updates directly on you device, subscribe now.