fbpx

ଡମଣା ଦୁର୍ଗାପୂଜାରେ ଏଥର ମିରାକଲ୍‌ ଗାର୍ଡେନର ତୋରଣ, ଜାଣନ୍ତୁ ଆଉ କ’ଣ ରହିଛି ଖାସ

ଭୁବନେଶ୍ୱର : ଭୁବନେଶ୍ୱର ଡମଣା ଗୋପୀନାଥ ଜୀଉ ଦୁର୍ଗାପୂଜା କମିଟି ପକ୍ଷରୁ ଏଥର ପୂଜା ପାଇଁ ପ୍ରସ୍ତୁତି ଜୋରଦାର କରିଛି। ଚଳିତ ବର୍ଷ ଏଠାରେ ଶୋଭା ପାଇବ ଦୁବାଇର ମିରାକଲ ଗାର୍ଡେନ ତୋରଣ। ଏହାର ଉଚ୍ଚତା ୮୦ଫୁଟ ଏବଂ ଚଉଡା ୧୨୦ ଫୁଟ ରହିବ ବୋଲି ସୂଚନା ମିଳିଛି। ଏହାକୁ ନିର୍ମାଣ କରିବା ପାଇଁ ପଶ୍ଚିମବଙ୍ଗର ୨୫ଜଣ କାରିଗର ପ୍ରାୟ ଏକ ମାସ ଧରି କାର୍ଯ୍ୟରେ ଲାଗିଛନ୍ତି।

ତୋରଣ ନିର୍ମାଣରେ ୨୨ଲକ୍ଷ ଟଙ୍କ ବ୍ୟୟ ଅଟକଳ ରହିଛି। ମଣ୍ଡପଠାରୁ ପ୍ରାୟ ୧କି.ମି ଅଞ୍ଚଳ ରଙ୍ଗବେରଙ୍ଗ ଆଲୋକ ମାଳାରେ ଝଲସିବ। ୪ଟି ଲାଇଟ୍‌ ଗେଟ୍‌ କରାଯିବ। ପୁରୁଣା ଭୁବନେଶ୍ୱର ବଢେଇବାଙ୍କର ମୁଖ୍ୟ କାରିଗର ଅରବିନ୍ଦ ମହାପାତ୍ରଙ୍କ ସହ ୮ଜଣ କାରିଗରଙ୍କୁ ନେଇ ୧୮ଫୁଟ ଉଚ୍ଚତାର ମାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରାଯାଉଛି। ୨୦ଫୁଟ ଉଚ୍ଚତା ଓ ୧୭ଫୁଟ ଚଉଡାରେ ସୁନେଲି ରଙ୍ଗର ମେଢ ନିର୍ମିତ ହେବ, ଏହାସହିତ ୫୦ଫୁଟ ଉଚ୍ଚ ରାବଣର ପ୍ରତିମୂର୍ତ୍ତି କରାଯାଇ ରାବଣ ପୋଡି ହେବାର କାର୍ଯ୍ୟକ୍ରମ ରହିଛି।

ଷଷ୍ଠୀଦିନରୁ ମାଙ୍କ ପୂଜା ଆରମ୍ଭ ହେବାକୁ ଥିବାରୁ ମଣ୍ଡପରେ ସେଦିନଠୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ବ୍ୟବସ୍ଥା କରାଯାଇଛି। ମଣ୍ଡପରେ ଶାନ୍ତି ଶୃଙ୍ଖଳା ଓ ସୁରକ୍ଷାକୁ କମିଟି ଗୁରୁତ୍ୱ ଦେବା ସହ ଦିବ୍ୟାଙ୍ଗ ଓ ମହିଳା ଶ୍ରଦ୍ଧାଳୁଙ୍କ ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି। ମଣ୍ଡପରେ ପ୍ରାୟ ୨୦୦ ସ୍ୱେଚ୍ଛାସେବୀ, ୧୦ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯିବା ସହ ୧୦ସିସିଟିଭ କ୍ୟାମେରା, ୬ଟି ଅଗ୍ନିନିର୍ବାପକ ଯନ୍ତ୍ର ଲଗାଯିବ।

Get real time updates directly on you device, subscribe now.