ଏକାଥରରେକ ତିନିଜଣକୁ ପାଣିରୁ ଉଦ୍ଧାର କରିବ ଏହି ମାନବବିହୀନ ବୋଟ୍, ସେନା ପାଇଁ ଜାସୁସୀ ସହ କରିପାରିବ ଆଟାକ୍…

ନୂଆଦିଲ୍ଲୀ: ଯେତେବେଳେ ସମୁଦ୍ରରେ କେହି ବୁଡ଼ି ଯାଉଥାନ୍ତିି ସେତେବେଳେ ତାଙ୍କୁ ବଞ୍ଚାଇବା ଲାଇଫ୍ ଗାର୍ଡ କିମ୍ବା ଡଙ୍ଗା ଦ୍ୱାରା ଉଦ୍ଧାର କରାଯାଏ । କିନ୍ତୁ ଯୁଦ୍ଧ ବେଳେ ଏଭଳି କରିବା ସମ୍ଭବ ହୋଇନଥାଏ କାରଣ ଶତ୍ରୁ ଗୁଳିର ଶିକାର ହେବାର ସମ୍ଭାବନା ରହିଛି । ଏମିତିରେ ଉଦ୍ଧାର କାର୍ଯ୍ୟ  କଷ୍ଟସାଧ୍ୟ ହୋଇପଡ଼ିଥାଏ । ଆହୁରି ପୁଣି ପ୍ରଖର ସ୍ରୋତରେ ଯଦି କେହି ଭାସିଯାଉଥାନ୍ତି ତାଙ୍କୁ ମଧ୍ୟ ଉଦ୍ଧାର କରିବା ସହଜ ହୋଇନଥାଏ । ଏଭଳି ସ୍ଥିତିରେ ଏକ ରୋବୋଟିକ୍ ବାହନ ବେଶ୍ ସହାୟକ ହୋଇପାରେ ।

ଏହିଭଳି ଏକ ଶକ୍ତିଶାଳୀ ମାନବବିହୀନ ୟୁଏସଭିର ୫୦ ୟୁନିଟ ଭାରତୀୟ ନୌସେନାକୁ ମିଳିଛି । ଆଉ ୫୦ ୟୁନିଟ୍ ଚଳିତ ବର୍ଷ ଶେଷ ସୁଦ୍ଧା ଭାରତକୁ ମିଳିଯିବେ । ଏହାକୁ କଲିକତାରେ ଥିବା ଡିଫେନ୍ସ କମ୍ପାନୀ ସୈଫ୍ ସିସ୍ କରିଛି । ଏହି ୟୁଏସଭିକୁ ବ୍ୟାଟେରୀ ଦ୍ୱାରା ପରିଚାଳିତ ହେବ । ଏଥିରେ ହାଇ-ଡେଫିନେସନ କ୍ୟାମେରା, ରୋବୋଟିକ୍ ଫିଚର୍ସ କିମ୍ବା ହତିଆର ଲଗାଯାଇ ଏହାକୁ ଭିନ୍ନ ଭିନ୍ନ ଭାବରେ ବ୍ୟବହାର କରାଯାଇପାରିବ । ନିକଟରେ ଏହାକୁ ଇଷ୍ଟ ଟେକ୍ ଏକ୍ସପୋ ରେ ପ୍ରଦର୍ଶିତ କରାଯାଇଥିଲା । ଯେଉଁଠାରେ ଖୋଦ୍ ପ୍ରଧାନମନ୍ତ୍ରୀ ଏହାର ସୂଚନା ନେଇଥିଲେ ।

ଯେତେବେଳେ କେହି ପାଣିରେ ବୁଡ଼ି ଯାଉଥିବେ ସେତେବେଳେ ଏହି ବାହନକୁ ରିମୋଟ୍ ଜରିଆରେ ତାଙ୍କ ନିକଟକୁ ପଠାଯିବ । ଏହା ପରେ ଯେତେବେଳେ ବୁଡ଼ି ଯାଉଥିବା ଲୋକ ଏହାକୁ ଧରିବେ ସେତେବେଳେ ପୁଣି ରିମୋଟ୍ ଦ୍ୱାରା ଏହାକୁ ସଞ୍ଚାଳିତ କରାଯାଇ ବ୍ୟକ୍ତିଙ୍କୁ ଉଦ୍ଧାର କରାଯିବ । ଏହାଦ୍ୱାରା ବୁଡ଼ି ଯାଉଥିବା ଲୋକଙ୍କୁ ବଞ୍ଚାଇବାକୁ ଅନ୍ୟ ବ୍ୟକ୍ତିଙ୍କ ଆବଶ୍ୟକତା ପଡ଼ିବ ନାହିଁ ।

ପ୍ରାରମ୍ଭିକ ଭାବରେ ଏହା କେବଳ ପାଣିରେ ବୁଡ଼ି ଯାଉଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ତିଆରି କରାଯାଇଥିଲା । ପରେ ଏହାର ଜ୍ଞାନକୌଶଳ , ସିଷ୍ଟମ ଏବଂ ଶକ୍ତିରେ ବୃଦ୍ଧି କରାଯାଇଥିଲା । ଏବେ ଏହା ଏକାଥରରେକ ତିନିଜଣକୁ ବଞ୍ଚାଇପାରିବ । ଏହା ୩୦୦ କିଲୋଗ୍ରାମ ଓଜନ ଉଠାଇ ସମୁଦ୍ରରେ ସହଜରେ ପହଁରିପାରିବ ତଥା ଦ୍ରୁତ ଗତିରେ ମଧ୍ୟ ଚାଲିପାରିବ । ଏହାକୁ ଭାରତୀୟ ସେନା ମଧ୍ୟ ନେବାକୁ ଚାହୁଛି  । ଏହି ବାହନ ଲଦାଖର ପ୍ୟାଙ୍ଗଙ୍ଗ ଲେକ୍ ରେ ନଜର ରଖିବାରେ ସହାୟକ ହୋଇପାରିବ । କମ୍ପାନୀ ଭାରତୀୟ ସେନାକୁ ଲେହ ରେ ଏହାର ପ୍ରଦର୍ଶନ କରିଦେଖାଇଛି । ଏହା ବ୍ୟତୀତ ଏହି ଯନ୍ତ୍ରର ପ୍ରଦର୍ଶନ ଏନଡିଆରଏଫ ସମ୍ମୁଖରେ ବାରଣାସୀ ଏବଂ ପୁଣେରେ ମଧ୍ୟ ହୋଇାସାରିଛି ।