ରାଜ୍ୟରେ ସକ୍ରିୟ ଆଉ ଏକ ପଶ୍ଚିମାଝଡ଼, ସାରା ରାଜ୍ୟକୁ ହାଇଆଲର୍ଟ ! ଆଜି ଠାରୁ ଜୋରଦାର ଛେଚିବ

ଭୁବନେଶ୍ୱର (ଭାସ୍କର ନ୍ୟୁଜ): ଓଡ଼ିଶା ଉପକୂଳରେ ଗୁରୁଚାପ ବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ରାଜ୍ୟରେ ୨୮ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ସହ ବର୍ଷାର ହେବାର ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ୧୫ ଜିଲ୍ଲାରେ ପବନ, ଘଡ଼ଘଡ଼ି ସହ ବର୍ଷା ହେବ । ଏଥିପାଇଁ ୧୧ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଝାରସୁଗୁଡ଼ା, ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ସମ୍ବଲପୁର, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ସୋନପୁର, ଗଜପତି, ଗଞ୍ଜାମ, ରାୟଗଡ଼ା, ମାଲକାନଗିରି ଓ କୋରାପୁଟରେ ବର୍ଷା ହେବାର ସମ୍ଭାବନା ରହିଛି ।

ଏହି ସମୟରେ ପବନରବେଗ ଘଣ୍ଟା ପ୍ରତି ୪୦ରୁ ୫୦ କି.ମି ରହିବ ବୋଲି ଆକଳନ କରାଯାଇଛି । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ପ୍ରଭାବ ଜାରି ରହିବ । ଉତ୍ତର ପୂର୍ବ ବାଂଲାଦେଶ ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣି ବଳୟ ପ୍ରଭାବରେ ସାରା ରାଜ୍ୟରେ ମେଘୁଆ ପାଗ ଜାରି ରହିଛି ।

ଅନ୍ୟପକ୍ଷରେ ବୁଧବାର ରାଜ୍ୟରେ ଆଉ ଏକ ପଶ୍ଚିମାଝଡ଼ ସକ୍ରିୟ ହେବାର ସମ୍ଭାବନା ରହିଛି । ଫଳରେ ୨୭ ତାରିଖରୁ ବର୍ଷାର ପରିମାଣ ବୃଦ୍ଧି ପାଇବ । କାଳବୈଶାଖୀ ସମୟରେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି । କାଳବୈଶାଖୀ ଯୋଗୁଁ ରାଜ୍ୟରେ ତାପମାତ୍ରା ୩ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଛି । ତେବେ ୨୮ ତାରିଖରୁ ପାଗରେ ପରିବର୍ତ୍ତନ ସହ ପୁଣି ତାତି ବଢିବାର ସମ୍ଭାବନା ରହିଛି ।