ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ ଖାଦ୍ୟ ଦର ଅଶାତୀତ ଭାବେ ବୃଦ୍ଧି ଘଟିବାରେ ଲାଗିଛି । ଅତ୍ୟାବଶ୍ୟକ ସାମଗ୍ରୀ, ପରିବା, ଖାଦ୍ୟ ପଦାର୍ଥ ଦର ବଢିବା ଜନସାଧାରଣଙ୍କ ପକେଟ ଉପରେ ପ୍ରଭାବ ପକାଉଛି । ଏହାରି ମଧ୍ୟରେ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି ।
୨୦୨୫ ବର୍ଷ ପାକିସ୍ତାନ ଲୋକଙ୍କ ପାଇଁ ଖୁସି ନେଇ ଆସିଛି । ଡିସେମ୍ବର ୨୦୨୪ରେ ପାକିସ୍ତାନରେ ଖୁଚୁରା ମହଙ୍ଗା ଦରରେ ହ୍ରାସ ଘଟି ୫ ପ୍ରତିଶତରୁ ୪.୧ ପ୍ରତିଶତରେ ପହଞ୍ଚିଛି । ଗୋଟିଏ ବର୍ଷ ପୂର୍ବରୁ ଡିସେମ୍ବର ୨୦୨୩ରେ ପାକିସ୍ତାନରେ ଖୁଚୁରା ମହଙ୍ଗା ଦର ୩୦ ପ୍ରତିଶତ ପାଖାପାଖି ଥିଲା । ଏହି ଡାଟାରୁ ସ୍ପଷ୍ଟ ଯେ, ପାକିସ୍ତାନ ନିଜ ଲୋକଙ୍କୁ ଆଶ୍ୱସ୍ତି ଦେବାରେ ସଫଳତା ହାସଲ କରିଛି ।
୧ ଜାନୁଆରୀ ୨୦୨୫ରେ ପାକିସ୍ତାନର ପରିସଂଖ୍ୟାନ ବିଭାଗ ପାକିସ୍ତାନ ବ୍ୟୁରୋ ଅଫ ଷ୍ଟାଟିଷ୍ଟିକ ଏକ ରିପୋର୍ଟ ଜାରି କରିଛି । ଏହି ଡାଟା ଅନୁଯାୟୀ, ଡିସେମ୍ବର ୨୦୨୪ରେ ଖୁଚୁରା ମହଙ୍ଗା ଦର ଯାହାକୁ କଞ୍ଜ୍ୟୁମର ପ୍ରାଇସ୍ ଇଣ୍ଡେକ୍ସ ମାଧ୍ୟମରେ ମପାଯାଇଥାଏ । ବର୍ତ୍ତମାନ ଏହା କମିଯାଇ ୪.୧ ପ୍ରତିଶତରେ ପହଞ୍ଚିଛି । ନଭେମ୍ବର ୨୦୨୪ରେ ଖୁଚୁରା ମହଙ୍ଗା ଦର ୪.୯ ପ୍ରତିଶତ ଦରରୁ ବଢି ଥିଲା ।
ଏଥିସହ ୨୦୨୩ରେ ପାକିସ୍ତାନରେ ଖୁଚୁରା ମହଙ୍ଗା ଦର ୨୯.୭ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଥିଲା, ଯାହା ପାକିସ୍ତାନୀଙ୍କୁ ହନ୍ତସନ୍ତ କରିଥିଲା ।
ରିପୋର୍ଟ ମୁତାବକ, ଆର୍ଥିକ ବର୍ଷ ୨୫ର ପ୍ରଥମ ଛଅ ମାସ ଜୁଲାଇରୁ ଡିସେମ୍ବରରେ ମହଙ୍ଗା ଦର ୭.୨୨ ପ୍ରତିଶତ ଜାରି କରାଯାଇଥିଲା, ଯାହା ଏହାର ପ୍ରଥମ ଆର୍ଥିକ ବର୍ଷର ସମାନ ଅବଧିରେ ୨୮.୭୯ ପ୍ରତିଶତ ରହିଥିଲା ।