fbpx

Presentationରେ କଳା ଚଷମା ପିନ୍ଧି ଆସିଲେ ଅଧିନାୟକ ହରମନପ୍ରୀତ: ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ପୁଣିଥରେ ନକଆଉଟ ମ୍ୟାଚରେ ପରାସ୍ତ ହୋଇ ବିଶ୍ୱକପରୁ ବାଦ ପଡିଛି ଟିମ ଇଣ୍ଡିଆ । ଶନିବାର ଅଷ୍ଟ୍ରେଲିଆ ଭାରତକୁ ୫ ରନରେ ମାତ ଦେଇ ଭାରତର ବିଶ୍ୱକପ ସ୍ୱପ୍ନକୁ ଭାଙ୍ଗି ଦେଇଛି । ବିଶ୍ୱକପରୁ ବାହାରିଯିବା ପରେ ଭାଙ୍ଗିଯାଇଛି ସାରା ଦେଶବାସୀଙ୍କ ଆଶା । କିନ୍ତୁ ମ୍ୟାଚ ପରେ ଦଳର ଅଧିନାୟକ ହରମନପ୍ରୀତ କୌରଙ୍କ ମନ୍ତବ୍ୟ ସମସ୍ତଙ୍କ ଆଖିରେ ଲୁହ ଭରି ଦେଇଛି । ପ୍ରେଜେଣ୍ଟେସନ ସମୟରେ ସେ ଏମିତି ଏକ କଥା କହିଛନ୍ତି ଯାହା ସାରା ଦେଶବାସୀଙ୍କୁ ଭାବବିହ୍ୱଳ କରିଦେଇଛି ।

ସେମି ଫାଇନାଲ ମ୍ୟାଚରେ ପରାଜୟ ପରେ ପ୍ରେଜେଣ୍ଟେସନ ପାଇଁ ଭାରତୀୟ ଅଧିନାୟକଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଏହି ସମୟରେ କଳା ଚଷମା ପିନ୍ଧି ଷ୍ଟେଜରେ ପହଞ୍ଚିଥିଲେ ହରମନପ୍ରୀତ କୌର । ହଠାତ ତାଙ୍କୁ ଏମିତି ଦେଖି କିଛି ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପ୍ରଶ୍ନ ଉଠିଥିଲା ପରାଜୟର ଦୁଃଖ ଭିତରେ ଅଧିନାୟକ କାହିଁକି ଚଷମା ପିନ୍ଧିଥିଲେ ? ତେବେ ଏହାର ଉତ୍ତରରେ ହରମନ ଏକ ଇମୋସନାଲ କଥା କହିଛନ୍ତି । ଯାହା ସମସ୍ତ କ୍ରିକେଟପ୍ରେମୀଙ୍କ ଆଖିରେ ଲୁହ ଆଣି ଦେଇଛି । ସେ କହିଥିଲେ ଯେ, “ମୁଁ ଚାହୁଁନାହିଁ ଲକ୍ଷ ଲକ୍ଷ ଭାରତୀୟ କ୍ରିକେଟପ୍ରେମୀ ମୋତେ ଏମିତି କାନ୍ଦିବାର ଦେଖନ୍ତୁ । ତେଣୁ ମୁଁ ଏହି କଳା ଚଷମା ପିନ୍ଧିଛି । ଆଜି ପୂର୍ବରୁ ମୁଁ କେବେ ଏପରି ଦୁର୍ଭାଗ୍ୟତା ଅନୁଭବ କରିନଥିଲି । ଜେମିମା ରୋଡ୍ରଗସ୍ ସହିତ ବ୍ୟାଟିଂ କରିବା ସମୟରେ ମୁଁ ଟିମକୁ ପ୍ରତ୍ୟାବର୍ତ୍ତନ କରାଇ ନେଇଥିଲି । କିନ୍ତୁ ଏହାପରେ ପରାଜୟର ଆଶା ମଧ୍ୟ ନଥିଲା । ତେବେ ମୁଁ ଯେଉଁଭଳି ଭାବରେ ରନ ଆଉଟ ହୋଇଛି, ଏହାଠୁ ବଡ ଦୁର୍ଭାଗ୍ୟ ଆଉ କ’ଣ ହୋଇପାରେ ।”

ମିଳିଥିବା ରିପୋର୍ଟ ଅନୁଯାୟୀ, ଏହି ମ୍ୟାଚ ପୂର୍ବରୁ ହରମନପ୍ରୀତଙ୍କ ଦେହରେ ଜ୍ୱର ରହିଥିଲା । କିନ୍ତୁ ଦଳ ଏବଂ ଦେଶର ଆବଶ୍ୟକତାକୁ ସମ୍ମାନ କରି ସେ ଅସୁସ୍ଥତା ସତ୍ତେ୍ୱ ମ୍ୟାଚରେ ଖେଳିବା ପାଇର୍ ଆସିଥିଲେ । ତେବେ ଏହି ମ୍ୟାଚରେ ୩୪ ବଲରୁ ୫୨ ରନ କରି ଖେଳୁଥିବା ବେଳେ ଦୁର୍ଭାଗ୍ୟପୂର୍ଣ୍ଣ ଭାବରେ ରନ ଆଉଟ ହୋଇ ପାଭିଲିୟନ ଫେରିଥିଲେ ହରମନ । ଏହାପରେ ଭାରତୀୟ ଦଳ ଲକ୍ଷ୍ୟ ହାସଲ କରିବାରେ ବିଫଳ ହୋଇ ବିଶ୍ୱକପ ସେମି ଫାଇନାଲ ମ୍ୟାଚରୁ ବିଦାୟ ନେଇଛି ।

Get real time updates directly on you device, subscribe now.