ତେହେରାନ,୨୨ା୬: ଇରାନର ତିନୋଟି ପ୍ରମୁଖ ପରମାଣୁ ସ୍ଥଳ ଉପରେ ଆମେରିକାର ଆକ୍ରମଣ ପରେ ପଶ୍ଚିମ ଏସିଆର ଭୂ-ରାଜନୈତିକ ସମୀକରଣ ଏବେ ଦ୍ରୁତଗତିରେ ପରିବର୍ତ୍ତନ ହେଉଛି। ଏହି ସମୟରେ ଇରାନର ବୈଦେଶିକ ମନ୍ତ୍ରୀ ଅବାସ ଅରାଘଚି ରବିବାର ଅପରାହ୍ନରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବା ପାଇଁ ମସ୍କୋ ଯାଉଛନ୍ତି। ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଅରାଘଚି ଆସନ୍ତାକାଲି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବେ। ଇରାନର ତିନୋଟି ପ୍ରମୁଖ ପରମାଣୁ ସ୍ଥଳ ଉପରେ ଆମେରିକାର ଆକ୍ରମଣର କିଛି ଘଣ୍ଟା ପରେ ଅରାଘଚି ଏହି ସୂଚନା ଦେଇଥିଲେ, ଯାହା ଫଳରେ ଇରାନ-ଇସ୍ରାଏଲ ବିବାଦରେ ଆମେରିକାର ସିଧାସଳଖ ସାମରିକ ପ୍ରବେଶ ହୋଇଛି।
ଅରାଘଜି କହିଛନ୍ତି, ରୁଷ୍ ଇରାନର ବନ୍ଧୁ, ଆମେ ସର୍ବଦା ପରସ୍ପର ସହିତ ପରାମର୍ଶ କରୁ। ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ଆଜି ଅପରାହ୍ନରେ ମସ୍କୋ ଯାଉଛି ଏବଂ ଆସନ୍ତାକାଲି ସକାଳେ ରୁଷ ରାଷ୍ଟ୍ରପତିଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବି। ଇସ୍ତାନବୁଲରେ ଓଆଇସି ସମ୍ମିଳନୀ ଅବସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି ବିବୃତ୍ତି ଦେଇଛନ୍ତି।
ଅରାଘଚି ଏବଂ ପୁଟିନଙ୍କ ମଧ୍ୟରେ ବୈଠକକୁ ନେଇ କଳ୍ପନାଜଳ୍ପନା ଜୋର ଧରିଛି
ଯେ, ଇରାନ ଏବେ ଆମେରିକା ବିରୋଧରେ ରାଜନୈତିକ ଏବଂ ସାମରିକ ରଣନୀତିରେ ରୁଷ ସହିତ ହାତ ମିଳାଇପାରେ। ବିଶେଷକରି ଯେତେବେଳେ ରୁଷ ଇସ୍ରାଏଲର ସାମ୍ପ୍ରତିକ କାର୍ଯ୍ୟ ଉପରେ ନିଜର ଅସନ୍ତୋଷ ପ୍ରକାଶ କରିସାରିଛି। ଏହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯେ, ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧୀ ବୋଲି ବିବେଚନା କରାଯାଏ। ଏପରି ପରିସ୍ଥିତିରେ ପୁଟିନ ଏବଂ ଖାମେନେଇଙ୍କ ମଧ୍ୟରେ ଘନିଷ୍ଠତା ଆମେରିକା ପାଇଁ ଏକ ନୂତନ କୂଟନୈତିକ ଚ୍ୟାଲେଞ୍ଜ ହୋଇପାରେ।
ଆମେରିକା ଇରାନର ପରମାଣୁ ଘାଟି ଉପରେ ଆକ୍ରମଣ ପରେ ଅରାଘଚି ଏକ ବଡ଼ ବୟାନ ଦେଇଛନ୍ତି। ଇସ୍ତାନବୁଲରେ ସାମ୍ବାଦିକଙ୍କ ସହ ଆଲୋଚନା କରି ସେ କହିଛନ୍ତି, ପରିସ୍ଥିତି ଏପରି ନୁହେଁ ଯେ କୂଟନୀତି ବିଷୟରେ କଥାବାର୍ତ୍ତା କରାଯାଇପାରିବ। ସେ ଏହା ମଧ୍ୟ କହିଛନ୍ତି ଯେ, ଆଲୋଚନାର ପଥ ସର୍ବଦା ଖୋଲା ରହିବା ଉଚିତ, କିନ୍ତୁ ବର୍ତ୍ତମାନ ଏପରି କୌଣସି ବିକଳ୍ପ ନାହିଁ। ଆମେରିକାର ଆକ୍ରମଣାତ୍ମକ କାର୍ଯ୍ୟାନୁଷ୍ଠାନ ପରେ ଇରାନ ଏବେ ଏହାକୁ ଏକ ସିଧାସଳଖ ଆକ୍ରମଣ ଭାବରେ ଦେଖୁଛି, ଯାହା ଆଞ୍ଚଳିକ ଉତ୍ତେଜନାକୁ ଆହୁରି ବୃଦ୍ଧି କରିଛି।