ଏବେ ଭଏସ୍ କମାଣ୍ଡରେ ଚାର୍ଜ ହେବ ସ୍ମାର୍ଟଫୋନ! ସାଓମି ଆଣୁଛି ନୂଆ ଟେକନିକ୍

ନୂଆଦିଲ୍ଲୀ: ଟେକ୍ କମ୍ପାନୀ ସାଓମୀ ବର୍ତ୍ତମାନ ଏକ ନୂତନ ଟେକନିକ୍ ଉପରେ କାମ କରୁଛି । ଯେଉଁଥିରେ କେବଳ ଶବ୍ଦ ମାଧ୍ୟମରେ ସ୍ମାର୍ଟଫୋନକୁ ଚାର୍ଜ କରାଯାଇପାରିବ । କମ୍ପାନୀ କହିଛି ଏହା ପ୍ରଥମ ବ୍ରାଣ୍ଡ୍ ଯାହା ଏହି ଟେକ୍ନୋଲୋଜି ଉପରେ କାମ କରୁଛି । ତେବେ ଏହି ନୂତନ ଟେକ୍ନୋଲୋଜି ଦ୍ୱାରା କେବଳ ସ୍ୱର ମାଧ୍ୟମରେ ସ୍ମାର୍ଟଫୋନ ଏବଂ ଅନ୍ୟ ଡିଭାଇସର ବ୍ୟାଟେରୀକୁ ଚାର୍ଜ କରିହେବ । କମ୍ପାନୀ ଏହି ନୂତନ ଟେକନିକ ପାଇଁ ପେଟେଣ୍ଟ ମଧ୍ୟ ଆପ୍ଲାଏ କରିସାରିଛି ।

ଏହି ଡିଭାଇସ ସାଉଣ୍ଡକୁ ସଂଗ୍ରହ କରିବା ସହ ଏହା ନ୍ୟାଚୁରାଲ ଭାଇବ୍ରେସନକୁ ମେକାନିକାଲ ଭାଇବ୍ରେସନରେ ବଦଳାଇଥାଏ । ଆଉ ଏହି ମେକାନିକାଲ ଭାଇବ୍ରେସନକୁ ଇଲେକ୍ଟ୍ରିକ କରେଣ୍ଟରେ ପରିବର୍ତ୍ତିତ କରିବା ପାଇଁ କମ୍ପାନୀ ତରଫରୁ ଏକ ଡିଭାଇସ ମଧ୍ୟ ଦିଆଯାଉଛି । ଏହି ଡିଭାଇସ AC କରେଣ୍ଟକୁ DC କରେଣ୍ଟରେ ପରିବର୍ତ୍ତିତ କରିଥାଏ । କମ୍ପାନୀ ତରଫରୁ କୁହାଯାଇଛି ଏହି ଟେକନିକ୍ ବିନା ପାୱାର ସକେଟରେ ସ୍ମାର୍ଟଫୋନ ଏବଂ ଅନ୍ୟାନ୍ୟ ଡିଭାଇସକୁ ଚାର୍ଜ କରିପାରିବ ।

କମ୍ପାନୀ ନିକଟରେ ଏହାର ୨୦୦ ୱାଟ ହାଇପରଚାର୍ଜିଂ ଟେକନିକର ଘୋଷଣା କରିଛି । ଯାହା କେବଳ ୮ ମିନିଟରେ ୪୦୦୦ ଏମଏମଏଚ୍ ବ୍ୟାଟେରୀକୁ ଚାର୍ଜ କରିପାରିବ । କମ୍ପାନୀ ଏଥିରେ ନୂଆ MI Air Charger କୁ ମଧ୍ୟ ଉପସ୍ଥାପନ କରିଛି, ଯାହା ଚାର୍ଜିଂ କେବୁଲ ଏବଂ ଚାର୍ଜିଂ ଷ୍ଟାଣ୍ଡ ବିନା ମଧ୍ୟ ଡିଭାଇସକୁ ଚାର୍ଜ କରିପାରିବ । କମ୍ପାନୀ ତରଫରୁ କୁହାଯାଇଛି ଏହି ଟେକ୍ନୋଲୋଜିର ବ୍ୟବହାର ଦ୍ୱାରା ଏକ ସମୟରେ ଅନେକ ଡିଭାଇସକୁ ଚାର୍ଜ କରିହେବ । କମ୍ପାନୀ ବର୍ତ୍ତମାନ MI Air Charge ଟେକ୍ନୋଲୋଜି ପାଇଁ ୧୭ଟି ପେଟେଣ୍ଟ ରହିଛି ।

କମ୍ପାନୀ କହିଛି ଏହି ନୂତନ ଚାର୍ଜିଂ ଟେକ୍ନୋଲୋଜି ମାଧ୍ୟମରେ ସ୍ମାର୍ଟଫୋନ, ସ୍ମାର୍ଟ ସ୍ପିକର, ଡେସ୍କ ଲ୍ୟାମ୍ପ, ସ୍ମାର୍ଟ ଉପକରଣ ଏବଂ ଅନ୍ୟାନ୍ୟ ଜିନିଷକୁ ଚାର୍ଜ କରାଯାଇପାରିବ । ତେବେ ମି ଏୟାର ଚାର୍ଜ କେବେ ଲଞ୍ଚ କରାଯିବ ସେନେଇ କୌଣସି ସୂଚନା ଦିଆଯାଇନାହିଁ ।