୧୮ରୁ ୪୦ ବର୍ଷର ଲୋକଙ୍କ ପାଇଁ ଶାନଦାର ପେନସନ୍ ସ୍କିମ: ୨୧୦ ଟଙ୍କା ନିବେଶ କଲେ ପ୍ରତ୍ୟେକ ମାସରେ ପାଇବେ ୫ ହଜାର

ନୂଆଦିଲ୍ଲୀ: ଜନସାଧାରଣଙ୍କ ପାଇଁ କେନ୍ଦ୍ର ସରକାର ବିଭିନ୍ନ ସମୟରେ ନୂଆ ନୂଆ ଯୋଜନା ମାନ ପ୍ରଣୟନ କରିଥାନ୍ତି । ଅଧିକାଂଶ ଲୋକ ସରକାରଙ୍କର ଅନେକ ଲୋଭନୀୟ ଯୋଜନା ବିଷୟରେ ଅଜ୍ଞାତ ଥାଆନ୍ତି । ଏଭଳି ଏକ ଯୋଜନାରେ ଆପଣ ୬୦ ବର୍ଷ ପରେ ମଧ୍ୟ ମାସିକ ପେନସନ ରାଶି ପାଇପାରିବେ । ତେବେ ଏଥିପାଇଁ ଆପଣଙ୍କୁ ୪୦ ବର୍ଷ ପୂର୍ବରୁ ଏହି ସ୍କିମରେ ନିବେଶ କରିବାକୁ ପଡ଼ିବ ।

ତେବେ ଏହି ଲାଭଜନକ ଯୋଜନାର ନାମ ହେଉଛି ଅଟଳ ପେନସନ ଯୋଜନା, ଏହି ସ୍କିମରେ ଟ୍ୟାକ୍ସ ଉପରେ ରିହାତି ମିଳୁଛି । ଚାକିରି କରିବା ସମୟରୁ ହିଁ ଆପଣମାନେ ନିଜର ଭବିଷ୍ୟତକୁ ଆର୍ଥିକ କ୍ଷେତ୍ରରେ ସୁରକ୍ଷିତ ରଖିପାରିବେ । ଲୋକଙ୍କର ଭବିଷ୍ୟତକୁ ଧ୍ୟାନ ରଖି ସରକାର ଏହି ସ୍କିମ ଆଣିଛନ୍ତି । ଏଥିରେ ଆପଣମାନେ ମାସିକ ପାଞ୍ଚ ହଜାର ଟଙ୍କାରୁ ନିବେଶ ଆରମ୍ଭ କରିପାରିବେ । ଏହି ସରକାରୀ ସ୍କିମରେ ଆପଣମାନେ ରିଟାୟାରମେଣ୍ଡ ଫଣ୍ଡ ପାଇଁ ଅର୍ଥ ଜମା କରିପାରିବେ ।

୧୮ ବର୍ଷରୁ ଆରମ୍ଭ କରି ୪୦ ବର୍ଷ ବୟସର ଲୋକମାନେ ଏହାର ଲାଭ ଉଠାଇ ପାରିବେ । ୪୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଏହି ସୁବିଧା ମିଳିବ ନାହିଁ । ଏହି ସ୍କିମରେ ୨୦ ବର୍ଷ ପାଇଁ ନିବେଶ କରିବାକୁ ପଡ଼ିବ । ୬୦ ବର୍ଷ ବୟସ ପରେ ଆପଣଙ୍କୁ ପେନସନର ଲାଭ ମିଳିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୨୦୧୫ରେ ଏହି ଯୋଜନାର ଶୁଭାରମ୍ଭ କରିଥିଲେ । ଯଦି ଆପଣଙ୍କୁ ୬୦ ବର୍ଷ ପରେ ମାସିକ ୫ ହଜାର ପେନସନ ଦରକାର, ତେବେ ପ୍ରତ୍ୟେକ ମାସରେ ୨୧୦ ଟଙ୍କା ନିବେଶ କରିବାକୁ ପଡ଼ିବ । ଏପରି ଭାବେ ଆପଣ ବର୍ଷକୁ ୬୦ ହଜାର ପେନସନ ପାଇପାରିବେ । ଯଦି ମାସିକ ୧ ହଜାର ପେନସନ ଦରକାର, ତେବେ ମାସିକ ୪୨ ଟଙ୍କା ଜମା କରିବାକୁ ପଡ଼ିବ । ଏହି ସ୍କିମରେ ଆପଣଙ୍କର ଅର୍ଥ ସର୍ବଦା ସୁରକ୍ଷିତ ରହିବ ।