fbpx

ଅମିତ ଶାହଙ୍କୁ ଭେଟିଲେ କେନ୍ଦ୍ରାପଡ଼ା ସାଂସଦ: ଆଗକୁ ୨୦୨୪ ନିର୍ବାଚନ, ଶଙ୍ଖ ଛାଡ଼ି ପଦ୍ମ ଆଡ଼କୁ ଢଳିବେ କି ଅନୁଭବ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ଚର୍ଚ୍ଚାରେ ଓଲିଉଡ୍ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ଗତ କିଛିଦିନ ଧରି ପାରିବାରିକ ବିବାଦରେ ଛନ୍ଦି ହୋଇପଡ଼ିଥିବା ଅନୁଭବଙ୍କୁ ନେଇ ଆସିଛି ଏକ ନୂଆ ପଲିଟିକାଲ୍ ଅପଡେଟ୍ । କିଛିମାସ ଧରି ଶାସକ ବିଜେଡିରୁ ଏକପ୍ରକାର କୋଣଠେସା ହୋଇ ରହିଥିବା ଅନୁଭବ ଏବେ ବିଜେପି ଆଡ଼କୁ ମୁହାଁଉଥିବା ନେଇ ଚର୍ଚ୍ଚା ହେଉଛି ।

ଜଣାପଡ଼ିଛି ଯେ, ଅନୁଭବ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି । ଦୁହେଁ ସାମ୍ନାସାମ୍ନି ବସି କିଛି ସମୟ ଆଲୋଚନା କରିଥିବା ବେଳେ ଏହାର ଫଟୋ ଅନୁଭବ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ତେବେ ଅଭିନେତାଙ୍କ ଏହି ଫଟୋଟି ଏବେ ସାରା ଓଡ଼ିଶାରେ ଚହଳ ପକାଇ ଦେଇଛି । ଏକଦା ବିଜେଡିର ଷ୍ଟାର ଥିବା ଅନୁଭବ ଗତ କିଛି ମାସ ଧରି ଦଳୀୟ କାର୍ଯ୍ୟକ୍ରମରୁ ଏକପ୍ରକାର ଦୂରେଇ ରହିଛନ୍ତି ।

ତେବେ ଆଗକୁ ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନ ଆସୁଛି । ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳମାନେ ଚଳଚଞ୍ଚଳ ହୋଇ ଉଠିଛନ୍ତି । ଏହି ସମୟରେ ଅନୁଭବଙ୍କୁ ନେଇ ଆରମ୍ଭ ହୋଇଯାଇଛି ନୂଆ ଚର୍ଚ୍ଚା । ବିଜେଡିର ବ୍ୟାଡ ବୁକରେ ରହିଥିବା ଅନୁଭବ କ’ଣ ବିଜେଡି ଛାଡ଼ି ବିଜେପି ଆଡ଼କୁ ଢଳିବେ? ବିଜେପିର ଚାଣକ୍ୟ କୁହାଯାଉଥିବା ଶାହଙ୍କୁ ହଠାତ୍ ଏପରି ସାକ୍ଷାତ କରିବା ପଛରେ କ’ଣ ରହିଛି ରହସ୍ୟ? ଏଭଳି ଅନେକ ପ୍ରଶ୍ନ ଏବେ ରାଜନୈତିକ ଅଳିନ୍ଦରେ ଆଲୋଚନା ହେବାରେ ଲାଗିଛି । ତେବେ ଏହି ଚର୍ଚ୍ଚା ପଛର ସତ୍ୟତା କ’ଣ ତାହା ହୁଏତ ଆଗକୁ ସ୍ପଷ୍ଟ ହୋଇଯିବ ।

Get real time updates directly on you device, subscribe now.