fbpx

ଲୋନ୍ ନେଉଥିବା ଲୋକଙ୍କ ପାଇଁ ନୂଆ ନିୟମ ଆଣିଲା RBI, ଡିଫଲ୍ଟ ହେଲେ ଆପଣଙ୍କୁ କମ୍ ଦେବାକୁ ପଡ଼ିବ ଟଙ୍କା !

ନୂଆଦିଲ୍ଲୀ: ଯଦି ଆପଣ ବ୍ୟାଙ୍କରୁ କୌଣସି ପ୍ରକାରର ଲୋନ୍ ନେଇଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) କହିଛି ଯେ, ବ୍ୟାଙ୍କ ଲୋନ୍ ଡିଫଲ୍ଟ ଉପରେ ଲଗାଇଥିବା ପେନାଲ୍ଟିର କ୍ୟାପିଟଲାଇଜେସନ୍ କରିପାରିବ ନାହିଁ । ବର୍ତ୍ତମାନ ସୁଦ୍ଧା ଲୋନ୍ ଡିଫଲ୍ଟ ହେବାଦ୍ୱାରା ବ୍ୟାଙ୍କ ପକ୍ଷରୁ ପେନାଲ୍ଟି ଫିସକୁ ମୂଳ ରାଶିରେ ଯୋଡି ଦିଆଯାଉଥିଲା । ପରେ ଏହି ଟଙ୍କା ଉପରେ ବି ବ୍ୟାଙ୍କ ସୁଧ ଆଦାୟ କରୁଥିଲା । କିନ୍ତୁ ଆରବିଆଇ ପକ୍ଷରୁ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦେବା ପରେ ଏବେ ଗ୍ରାହକମାନେ ଆରାମ ପାଇବେ ।

ଆରବିଆଇର ନୂଆ ନିୟମ ଅନୁଯାୟୀ, ଏବେ ବ୍ୟାଙ୍କକୁ ପେନାଲ୍ଟି ଫିସ୍ ଅଲଗା ଭାବରେ ଆଦାୟ କରିବାକୁ ପଡ଼ିବ ଓ ଏହାକୁ ବକେୟା ମୂଳଧନରେ ଯୋଡାଯିବ ନାହିଁ । ରିଜର୍ଭ ବ୍ୟାଙ୍କର ଏହି ପଦକ୍ଷେପ ଯୋଗୁଁ ଡିଫଲ୍ଟ ହେବା ସ୍ଥିତିରେ ଗ୍ରାହକଙ୍କ ଉପରେ ଲଗାଯାଇଥିବା ଅତିରିକ୍ତ ସୁଧକୁ ରୋକିବାରେ ସାହାଯ୍ୟ ମିଳିବ ।

ଆରବିଆଇ ନିର୍ଦ୍ଦେଶାବଳୀ ଅନୁଯାୟୀ, ଋଣଦାତାଙ୍କ ପାଖରେ ପେନାଲ୍ଟି ଫି ପୁନରୁଦ୍ଧାର ପାଇଁ ଏକ ବୋର୍ଡ ଦ୍ୱାରା ଅନୁମୋଦିତ ନୀତି ଲାଗୁ କରିବାର ସ୍ୱାଧୀନତା ଅଛି । ଏହି କାର୍ଯ୍ୟକଳାପକୁ ଶୃଙ୍ଖଳିତ କରିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ଏକ ଡ୍ରାଫ୍ଟ ଜାରି କରିଛି । ଡ୍ରାଫ୍ଟରେ କୁହାଯାଇଛି ଯେ ପେନାଲ୍ଟି ଲଗାଇବାର ଉଦ୍ଦେଶ୍ୟ ହେଉଛି ଲୋନ୍ ନେଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଅନୁଶାସନର ଭାବନା ସୃଷ୍ଟି କରିବା ।

Get real time updates directly on you device, subscribe now.