fbpx

ପୁଣି ଥରେ ୟୁପି ଦଖଲ କରିବ ବିଜେପି, ମାତ୍ର କମିପାରେ ଆସନ: ଆସିଲା ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ: ଆସନ୍ତାବର୍ଷ ପ୍ରାରମ୍ଭରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ସମସ୍ତ ରାଜନୈତିକ ଦଳ ପ୍ରଚାର ଅଭିଯାନରେ ଲାଗି ପଡ଼ିଛନ୍ତି । ତେବେ ୟୁପି ଦଖଲ ନେଇ ବିଜେପି, କଂଗ୍ରେସ, ସମାଜବାଦୀ ପାର୍ଟି, ବହୁଜନ ସମାଜବାଦୀ ପାର୍ଟି ଅଣ୍ଟା ଭିଡ଼ିଛନ୍ତି । ହେଲେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଭାଜପା ପୁଣି ଥରେ ୟୁପିରେ ସରକାର ଗଢ଼ିବ । ଯୋଗ୍ୟ ଆଦିତ୍ୟନାଥଙ୍କ ଉପରେ ଜନସାଧାରଣ ପୁଣି ଆସ୍ଥା ପ୍ରକଟ କରିବେ । ଆସନ୍ତା ନିର୍ବାଚନରେ ବିଜେପିକୁ ୪୧ ପ୍ରତିଶତରୁ ଅଧିକ ଭୋଟ ମିଳିବ ବୋଲି ସର୍ଭେ ରିପୋର୍ଟ ପ୍ରକାଶ ପାଇଛି ।

ରିପୋର୍ଟ ଅନୁସାରେ, ବିଜେପି ନିଜର ସ୍ଥିତି ବଜାୟ ରଖିବାକୁ ସକ୍ଷମ ହୋଇଥିବା ବେଳେ ସପାର ଭୋଟ ପ୍ରତିଶତ ବୃଦ୍ଧି ପାଇବ । ସେହିପରି ବସପାର ଭୋଟ ପ୍ରତିଶତ ମଧ୍ୟ ବଢ଼ିବ ବୋଲି ଜଣାପଡ଼ିଛି । ତେବେ ଦୀର୍ଘ ୩୨ ବର୍ଷ ଧରି ରାଜ୍ୟରେ କ୍ଷମତାରୁ ଦୂରେଇ ରହିଥିବା କଂଗ୍ରେସର ଭୋଟ ବ୍ୟାଙ୍କ ହ୍ରାସ ପାଇବ । ଗତ ୨୦୧୭ ନିର୍ବାଚନରେ ବିଜେପି ଓ ଏହାର ସହଯୋଗୀ ଦଳ ମୋଟ ୩୨୫ ଆସନରେ ବିଜୟୀ ହୋଇଥିଲା । ତେବେ ଆସନ୍ତା ନିର୍ବାଚନରେ ଦଳ ମୋଟ ୪୦୦ ସିଟରୁ ୨୪୦-୨୫୦ ଆସନ ପାଇବ, ଯାହାକି ପୂର୍ବାପେକ୍ଷା କମ୍ । ସେହିପରି ସପାକୁ ୧୩୦-୧୩୮, ବସପାକୁ ୧୫-୧୯ ଓ କଂଗ୍ରେସକୁ ମାତ୍ର ୩-୭ଟି ସିଟ୍ ମିଳିବ ବୋଲି ସର୍ଭେ ରିପୋର୍ଟରୁ ଜଣାପଡ଼ିଛି । ତେବେ ଅନେକ ସମୟରେ ଆକଳନ ଠିକ୍ ଆସୁଥିବା ବେଳେ ବେଳେବେଳେ ସବୁ ଓଲଟ ପାଲଟ ହୋଇଯାଇଥାଏ । ତେଣୁ ବାସ୍ତବ ସ୍ଥିତି କ’ଣ ହେବ ତାହା ଜାଣିବା ପାଇଁ ଆମକୁ ଆଉ କିଛି ମାସ ଅପେକ୍ଷା କରିବାକୁ ପଡ଼ିବ ।

Get real time updates directly on you device, subscribe now.