ଭୁବନେଶ୍ୱର: ଏଥର ଫିକା ପଡ଼ିବ ଜିରୋ ନାଇଟ୍ ସେଲିବ୍ରେଶନ୍ । କାରଣ ଜିରୋ ନାଇଟ୍ ପାଇଁ ଅବକାରୀ ବିଭାଗ କଟକଣା ଜାରି କରିଛି । ଆସନ୍ତା ୩୧ ତାରିଖରେ ଜିରୋ ନାଇଟ ଆୟୋଜନ ପାଇଁ ଅବକାରୀ ବିଭାଗର ଅନୁମତି ବାଧ୍ୟତାମୂଳକ ବୋଲି କୁହାଯାଇଛି । ଅବକାରୀ ବିଭାଗର ଅନୁମତି ନ ନେଇ ଜିରୋ ନାଇଟ୍ ସେଲିବ୍ରେଶନ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏନେଇ ସୂଚନା ଦେଇଛନ୍ତି ଅବକାରୀ କମିଶନର ନରସିଂହ ଭୋଳ । ବିଭାଗର ବିନା ଅନୁମତିରେ ଅନେକ ସ୍ଥାନରେ ଜିରୋ ନାଇଟ୍ ସେଲିବ୍ରେଶନ୍ ପାଇଁ ଜୋର ପ୍ରସ୍ତୁତି ଚାଲିଛି ବୋଲି ଅବକାରୀ ବିଭାଗ ଜାଣିଥିବା କୁହାଯାଇଛି । ଏହାକୁ ରୋକିବା ପାଇଁ ବିଭାଗ ପକ୍ଷରୁ ଖୁବ୍ଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି କମିଶନର ସୂଚନା ଦେଇଛନ୍ତି ।
୨୦୨୪ ସରିସରି ଆସୁଛି । ଆଉ କେଇଟା ଦିନ ପରେ ଆରମ୍ଭ ହୋଇଯିବ ୨୦୨୫ ନୂଆବର୍ଷ । ନୂଆ ବର୍ଷକୁ ସ୍ୱାଗତ କରିବା ପାଇଁ ପ୍ରତିବର୍ଷ ଡିସେମ୍ବର ୩୧ ତାରିଖ ଦିନ ଜିରୋ ନାଇଟ୍ ସେଲିବ୍ରେଶନ୍ କରାଯାଏ । ଟୁଇନ୍ସିଟିର ହୋଟେଲ ଓ ରେଷ୍ଟୁରାଣ୍ଟେରେ ଯୁବପିଢ଼ି ଏକତ୍ରିତ ହୋଇ ଏହାକୁ ସେଲିବ୍ରେଟ୍ କରନ୍ତି । ନାଚ, ଗୀତ ସାଙ୍ଗକୁ ମଦର ଆସର ମଧ୍ୟ ଜମେ । ତେବେ ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏ ନିଷ୍ପତ୍ତି ନିଆଯାଇଛି ।