+୨ ନାମଲେଖା ପାଇଁ ସରିଛି ଆବେଦନ, ଜାଣନ୍ତୁ କେବେ ଜାରିହେବ ପ୍ରଥମ ଚୟନ ତାଲିକା ?

ଭୁବନେଶ୍ୱର :ଚଳିତ ଶିକ୍ଷାବର୍ଷ ପାଇଁ ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ, ସଂସ୍କୃତ ଏବଂ ଧନ୍ଦାମୂଳକ ଶିକ୍ଷାର ପ୍ରଥମ ବର୍ଷରେ ନାମଲେଖା ନିମନ୍ତେ ଆବେଦନ ପ୍ରକ୍ରିୟା ଶେଷ ହୋଇଛି । ଆସନ୍ତା ୨୦ ତାରିଖରେ ପ୍ରଥମ ଚୟନ ତାଲିକା ପ୍ରକାଶ ପାଇବ । ଏଥିରେ ମନୋନୀତ ଛାତ୍ରଛାତ୍ରୀ ଜୁଲାଇ ୨୨ରୁ ୨୭ ତାରିଖ ମଧ୍ୟରେ ନାମ ଲେଖାଇପାରିବେ ।

ରାଜ୍ୟର ୨ ହଜାର ୩୪୩ଟି ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ମୋଟ୍‍ ୫ ଲକ୍ଷ ୪୮ ହଜାର ୨୪୯ଟି ଆସନ ରହିଥିବାବେଳେ ନାମ ଲେଖାଇବା ପାଇଁ ୪ ଲକ୍ଷ ୭୧ ହଜାର ୫୮୭ ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି ।

କଳା ଶିକ୍ଷାରେ, ରାଜ୍ୟରେ ୩ ଲକ୍ଷ ୧୦ ହଜାର ୧୩୬ ଆସନ ରହିଥିବାବେଳେ ବିଜ୍ଞାନରେ ୧ ଲକ୍ଷ ୭୩ ହଜାର ୫୪୯, ବାଣିଜ୍ୟରେ ୪୧ ହଜାର ୮୦, ଉପଶାସ୍ତ୍ରୀରେ ୧୩ ହଜାର ୮୮ ଏବଂ ଧନ୍ଦାମୂଳକ ଶିକ୍ଷାରେ ୧୦ ହଜାର ୩୯୬ଟି ଆସନ ରହିଛି । ସୂଚନା ଅନୁସାରେ ଆସନ୍ତା ଅଗଷ୍ଟ ପହିଲାରୁ ଯୁକ୍ତ ୨ ପ୍ରଥମବର୍ଷ ପାଠପଢ଼ା ଆରମ୍ଭ ହେବ ।