RBI ଜାରି କଲା ନୂଆ ଆଦେଶ: ଏଣିକି ଋଣ ପରିଶୋଧ ପାଇଁ ଜୋର ଜବରଦସ୍ତି କରି ପାରିବେନି ବ୍ୟାଙ୍କ

ନୂଆଦିଲ୍ଲୀ: ବ୍ୟାଙ୍କରୁ ଲୋନ ନେଇଥିବା ବ୍ୟକ୍ତିମାନଙ୍କ ପାଇଁ ଆସିଛି ଏକ ବଡ ଖୁସି ଖବର । ଏଣିକି ବ୍ୟାଙ୍କ ଆପଣଙ୍କ ଉପରେ ଜୋର ଜବରଦସ୍ତ କରି ପାରିବନି । ଆପଣଙ୍କ ପାଖରୁ ଜୋର କରି ଆଦାୟ କରିପାରିବନି ଋଣ । ଏ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ଦେଶର ବିଭିନ୍ନ ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନଗୁଡିକ ପାଇଁ ଏକ ନୂଆ ଆଦେଶ ଜାରି କରିଛି । ଗ୍ରାହକମାନଙ୍କୁ ଧମକାଇବା, ପ୍ରତାଡିତ କରିବା କିମ୍ବା ବ୍ୟକ୍ତିଗତ ତଥ୍ୟର ଦୂରୁପୋଯୋଗ ଆଦି ଭଳି ଘଟଣାକୁ ରୋକିବା ପାଇଁ ବ୍ୟାଙ୍କଗୁଡିକୁ କହିଛି ରିଜର୍ଭ ବ୍ୟାଙ୍କ ।

ଏହାବ୍ୟତୀତ ଲୋନ ନେଇଥିବା ଗ୍ରାହକମାନଙ୍କ ସମ୍ପର୍କୀୟ ତଥା ଚିହ୍ନା ଲୋକମାନଙ୍କୁ ମଧ୍ୟ ବ୍ୟାଙ୍କ କୌଣସି ପ୍ରକାରର ହଇରାଣ କରିପାରିବେ ନାହିଁ ବୋଲି କଡା ନି୍େଦର୍ଦଶ ଜାରି ହୋଇଛି । ତେବେ ଆରବିଆଇର ଏହି ଆଦେଶ ଏଣିକି ସମସ୍ତ କମର୍ସିଆଲ ବ୍ୟାଙ୍କ, ଅଣ ବ୍ୟାଙ୍କ ଫାଇନାନ୍ସିଆଲ କମ୍ପାନୀ ସମେତ ଆସେଟ ରିକନଷ୍ଟ୍ରକ୍ସନ କମ୍ପାନୀ, ଅଲ ଇଣ୍ଡିଆ ଫାଇନାନ୍ସିଆଲ ଇନଷ୍ଟିଚ୍ୟୁସନ୍ସ ଏବଂ ସମସ୍ତ ପ୍ରାଇମେରୀ ଅର୍ବାନ କୋ-ଅପରେଟିଭ ବ୍ୟାଙ୍କଭୁଡିକରେ ମଧ୍ୟ ଲାଗୁ କରାଯିବ ।

ଏହି ଆଦେଶରେ ଗ୍ରାହକମାନଙ୍କ ସମ୍ମାନ ରକ୍ଷା କରିବା ପାଇଁ ଯଥେଷ୍ଟ ଧ୍ୟାନ ଦେଇଛନ୍ତି ଆରବିଆଇ । ଗ୍ରାହକମାନଙ୍କୁ କୌଣସି ଆପତ୍ତିଜନକ ମେସେଜ ପଠାଇବା କିମ୍ବା ସୋସିଆଲ ମିଡିଆରେ ବଦନାମ କରିବା ଭଳି ଘଟଣାରୁ ବିରତ ରହିବାକୁ ବ୍ୟାଙ୍କ ଏବଂ ଅନ୍ୟାନ୍ୟ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ନିକଟରେ ରିକଭରୀ ଏଜେଣ୍ଟ ମାନଙ୍କର ଜୋର ଜବରଦସ୍ତି ଏବଂ ମନମାନୀ କରିବା ଭଳି ଅନେକ ଘଟଣା ସାମନାକୁ ଆସିଥିଲା । ତେଣୁ ସକାଳ ୮ଟା ପୂର୍ବରୁ କିମ୍ବା ସନ୍ଧ୍ୟା ୭ଟା ପରେ ଗ୍ରାହକମାନଙ୍କୁ ରିକଭରୀ ଏଜେଣ୍ଟ କଲ୍ ନ କରିବା ପାଇଁ ଏହି ଆଦେଶରେ କୁହାଯାଇଛି ।

ଏହା ସହିତ ସଂସ୍ଥାଗୁଡିକୁ ଠିକ ଭାବରେ ରିକଭରୀ ଏଜେଣ୍ଟ ନିୟମ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଗ୍ରାହକମାନଙ୍କୁ କୌଣସି ପ୍ରକାର ଅସୁବିଧାରେ ନ ପକାଇବା ପାଇଁ ବ୍ୟାଙ୍କ ଏବଂ ଅନ୍ୟ ସଂସ୍ଥାଗୁଡିକୁ କଡା ନିର୍ଦ୍ଦେଶ ଜାରି କରିଛି ଆରବିଆଇ ।