fbpx

ନିର୍ବାଚନ ଆଚରଣବିଧି ଉଲ୍ଲଂଘନ ମାମଲା: ବ୍ରହ୍ମପୁର ବିଧାୟକଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କଲେ ସ୍ୱତନ୍ତ୍ର କୋର୍ଟ

ବ୍ରହ୍ମପୁର(ଭାସ୍କର ନ୍ୟୁଜ ): ୨୦୦୯ ମସିହାର ଏକ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ମାମଲାରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି । ବିଧାୟକ ଓ ସାଂସଦଙ୍କ ନିର୍ବାଚନୀ ମାମଲାର ବିଚାର ପାଇଁ ବ୍ରହ୍ମପୁର ଠାରେ ଥିବା ସ୍ୱତନ୍ତ୍ର କୋର୍ଟ ଶନିବାର ଏହି ମାମଲାର ଚୁଡାନ୍ତ ରାୟ ପ୍ରକାଶ କରି ବିଧାୟକ ଶ୍ରୀ ପଣ୍ଡାକୁ ନିର୍ଦୋଷ ବୋଲି ଦର୍ଶାଇଛନ୍ତି । ମୋଟ ୯ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଆବଶ୍ୟକ ପ୍ରମାଣ ଅଭାବରୁ କୋର୍ଟ ଏହି ରାୟ ଦେଇଥିବା ଆଇନଜୀବୀ ସଂଜିତ କୁମାର ପାଣଗ୍ରାହୀଙ୍କ ଠାରୁ ସୂଚନା ମିଳିଛି ।

ଏଠାରେ ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ବିଜେଡ଼ି ଦଳର ବିଧାୟକ ଥିବା ଶ୍ରୀ ପଣ୍ଡା ୨୦୦୯ ମସିହାରେ କଂଗେସ ଦଳ ପକ୍ଷରୁ ବ୍ରହ୍ମପୁର ବିଧାୟକ ପାର୍ଥ ଭାବେ ନିର୍ବାଚନ ଲଢ଼ୁଥିଲେ । ୨୦୦୯ ଏପ୍ରିଲ୍‌ ୧୨ ତାରିଖରେ ଶ୍ରୀ ପଣ୍ଡାଙ୍କ ବ୍ୟାନର ଓ ପୋଷ୍ଟର ସର୍ବସାଧାରଣ ସ୍ଥାନ ଯଥା ଆସ୍କାରୋଡ, ନୀଳାଦ୍ରିବିହାର, ଶ୍ରୀରାମନଗର ଅଞ୍ଚଳରେ ଟଙ୍ଗା ଯାଇଥିବା ନେଇ ତତ୍କାଳୀନ ତହିଲଦାର ଆରପି ସିଂ ଏବଂ ଶତୃଘ୍ନ କର ଟାଉନ୍‌ ଥାନାରେ ଶ୍ରୀ ପଣ୍ଡାଙ୍କ ନାମରେ ଆଇପିସି ଧାରା ୧୮୮ ପ୍ରକାରେ ଏକ ମାମଲା ରୁଜୁ କରିଥିଲେ । ସେହି ମାମଲାର ତଦନ୍ତ କରି ଟାଉନ୍‌ ଥାନା ପୁଲିସ ସେହିବର୍ଷ ଜୁନ୍‌ ୨୫ ତାରିଖରେ କୋର୍ଟ ରେ ଚାର୍ଜସିଟ ଦାଖଲ କରିଥିଲା । ସେବେଠାରୁ ଏହି ମାମଲାର ବିଚାରଣା କୋର୍ଟରେ ଚାଲୁ ରହିଥିଲା । ଶନିବାର ସ୍ୱତନ୍ତ୍ର କୋର୍ଟ ଏହି ମାମଲାର ଚୁଡାନ୍ତ ରାୟ ପ୍ରକାଶ କରିଥିଲେ । ବିଧାୟକଙ୍କ ପକ୍ଷରୁ ଆଇନଜୀବୀ ଶ୍ରୀ ପାଣିଗ୍ରାହୀଙ୍କ ସମେତ ଶ୍ରୀକାନ୍ତ ପଟ୍ଟନାୟକ, ନୀଳାଞ୍ଚଳ ତ୍ରିପାଠୀ, ଦୁର୍ଗାଶଙ୍କର ବେହେରା ମକଦ୍ଦମା ପରିଚଳନା କରୁଥିଲେ।

Get real time updates directly on you device, subscribe now.