fbpx

ଫେରିବା ବେଳେ ଡଙ୍ଗାରେ ହେଲା ଯାନ୍ତ୍ରିକ ତ୍ରୁଟି: ଗଭୀର ସମୁଦ୍ରରେ ଫସି ରହିଛନ୍ତି ୧୧ ମତ୍ସଜୀବୀ

ଭୁବନେଶ୍ୱର: ବାତ୍ୟା ଅସାନୀ ପ୍ରଭାବରେ ଅଶାନ୍ତ ହେଉଛି ସମୁଦ୍ର । ଉପକୂଳ ଅଞ୍ଚଳରେ ବର୍ଷା ମଧ୍ୟ ଆରମ୍ଭ ହୋଇଗଲାଣି । ଏହାରି ମଧ୍ୟରେ ଆସିଛି ଏକ ଛାତିଥରା ଘଟଣା । ଅଶାନ୍ତ ହେଉଥିବା ଏହି ସମୁଦ୍ର ଭିତରେ ଫସି ରହିଛନ୍ତି ୧୧ଜଣ ମତ୍ସ୍ୟଜୀବୀ । ମାଛଧରା ଡଙ୍ଗା ସହ ଗଭୀର ସମୁଦ୍ରରେ ଏମାନେ ଫସି ରହିଥିବା ସୂଚନା ମିଳିଛି । ମାଛ ଧରିବାକୁ ଯାଇଥିବା ବେଳେ ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେବାରୁ ସମୁଦ୍ର ଭିତରୁ ବାହାରି ପାରି ନାହାନ୍ତି ମତ୍ସଜୀବୀ ।

ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲା ସୁନାପୁର ନିକଟ ସମୁଦ୍ରରେ ଏହି ୧୧ ଜଣ ମତ୍ସଜୀବୀ ଫସି ରହିଛନ୍ତି । ବାତ୍ୟାର ପରାମର୍ଶ ଅନୁଯାୟୀ ସମୁଦ୍ରକୂଳକୁ ଫେରୁଥିବା ବେଳେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା । ଫଳରେ ସମୁଦ୍ରର ଗଭୀର ଜଳରାଶିରେ ଏମାନେ ଫସି ଯାଇଥିବା ସୂଚନା ମିଳିଛି । ତେଣୁ ଉଦ୍ଧାର ପାଇଁ ପ୍ରଶାସନର ସହାୟତା ଲୋଡିଛନ୍ତି ବିପଦରେ ଥିବା ମତ୍ସ୍ୟଜୀବୀ । ଏହାପରେ ପ୍ରଶାସନ ତରଫରୁ ମଧ୍ୟ ଅପରେସନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ଥାନୀୟ ଉପ ଜିଲ୍ଲାପାଳ । ଏୟାରଲିଫ୍ଟ ସାହାଯ୍ୟରେ ମତ୍ସ୍ୟଜୀବୀମାନଙ୍କୁ ଉଦ୍ଧାର କରାଯିବ ବୋଲି ଯୋଜନା କରାଯାଉଛି । ଏହାସହିତ ସୁନାପୁରରେ ପୋଲିସ ଟିମ ସହ ପ୍ରଶାସନିକ ଅଧିକାରୀ ମଧ୍ୟ ପହଞ୍ଚି ସାରିଛନ୍ତି । ଯଥାଶୀଘ୍ର ଫସିଥିବା ମତ୍ସ୍ୟଜୀବୀମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଚଳାଇଛି ପ୍ରଶାସନ ।

Get real time updates directly on you device, subscribe now.