ଭୁବନେଶ୍ୱର, (ଓଡିଶା ଭାସ୍କର): ଆଜି ରାଜ୍ୟରେ କରୋନା ମୃତ୍ୟୁ ରେକର୍ଡ ପାର କରିଛି । ଗତ ସାତଦିନ ହେଲା କରୋନାରେ ୫୦ରୁ ଅଧିକ ଲୋକ ମୃତ୍ୟୁବରଣ କରୁଥିବା ଦେଖାଯାଉଛି । କରୋନା ରାଜ୍ୟକୁ ସମ୍ପୂର୍ଣ୍ଣ ଭାବେ କବଳିତ କରିସାରିଛି, ଏହା ମୃତ୍ୟୁ ସଂଖ୍ୟାରୁ ପ୍ରମାଣିତ ହୋଇଛି । ରାଜ୍ୟରେ କରୋନା ସଂକ୍ରମଣ ପ୍ରାୟତଃ ଆୟତ୍ତକୁ ଆସିଯାଇଥିବା ବେଳେ ମୃତ୍ୟୁର କିନ୍ତୁ ଲଗାମ୍ ନାହିଁ । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ ।
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୩ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୪୬୬୨କୁ ବୃଦ୍ଧି ପାଇଛି । ଖୋର୍ଦ୍ଧାରୁ ସର୍ବାଧିକ ୧୩ ଜଣ ମୃତ୍ୟୁବରଣ କରିଛନ୍ତି । ସେହିପରି ବରଗଡ଼ରୁ ୭ ଜଣ, ମୟୂରଭଞ୍ଜରୁ ୬ ଜଣ, ଗଞ୍ଜାମ ଓ ପୁରୀରୁ ୫ ଜଣ ଲେଖାଏଁ, ଢେଙ୍କାନାଳ ଓ କେନ୍ଦ୍ରାପଡ଼ାରୁ ୪ ଜଣ ଲେଖାଏଁ, ବୌଦ୍ଧ, ଯାଜପୁର ଓ ନୟାଗଡ଼ରୁ ୩ ଜଣ ଲେଖାଏଁ, ବାଲେଶ୍ୱର, ଜଗତସିଂହପୁର ଓ କେନ୍ଦୁଝରରୁ ୨ ଜଣ ଲେଖାଏଁ, ଅନୁଗୁଳ, ବଲାଙ୍ଗିର, ଗଜପତି, କନ୍ଧମାଳରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।