ନୂଆଦିଲ୍ଲୀ: ଆଜିକାଲି ଦୁନିଆରେ ବହୁତ କମ ଲୋକ ଏମିତି ଥିବେ ଯେଉଁମାନେ ATM କାର୍ଡର ବ୍ୟବହାର ଜାଣି ନଥିବେ । ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଏବଂ ରୁପେ କାର୍ଡ ଯୋଗୁଁ ଏବେ ସମସ୍ତଙ୍କ ଦୈନନ୍ଦିନ ଜୀବନର ଏକ ଅଂଶ ପାଲଟିଯାଇଛି ଏହି ATM କାର୍ଡ । ତେବେ ଟଙ୍କା ନେଣେଦେଣ ବ୍ୟତୀତ ATM କାର୍ଡ ଦ୍ୱାରା ଆହୁରି ଅନେକ ଫାଇଦା ମିଳିପାରିଥାଏ । ଏସବୁ ସମ୍ପର୍କରେ ସୂଚନା ନ ପାଇବାରୁ ଫ୍ରିରେ ଉପଲବ୍ଧ ଥିବା କିଛି ଜରୁରୀ ସୁବିଧାରୁ ବଞ୍ଚିତ ହେଉଛନ୍ତି ଗ୍ରାହକ ।
ATMରୁ ମିଳୁଥିବା ବିଭିନ୍ନ ସୁବିଧାରୁ ଫ୍ରି ଇନ୍ସ୍ୟୁରାନ୍ସ ହେଉଛି ମୁଖ୍ୟ ଫାଇଦା । କୌଣସି ଗ୍ରାହକଙ୍କୁ ATM ଦିଆଯିବା ସହିତ ଗ୍ରାହକଙ୍କ ଦୁର୍ଘଟଣା କିମ୍ବା ଅକାଳ ମୃତ୍ୟୁ ପାଇଁ ଇନ୍ସ୍ୟୁରାନ୍ସ ଦିଆଯାଇଥାଏ । ତେବେ ଏ ବିଷୟରେ ସୂଚନା ଅଭାବରୁ ଅଧିକାଂଶ ଲୋକ ଏହାର ଫାଇଦା ଉଠାଇ ପାରି ନଥାନ୍ତି । ଯଦି କୌଣସି ବ୍ୟକ୍ତି ଜାତୀୟ କିମ୍ବା ଅଣଜାତୀୟ ବ୍ୟାଙ୍କର ATMକୁ ସର୍ବନିମ୍ନ ୪୫ ଦିନ ପର୍ଯ୍ୟନ୍ତ ବ୍ୟବହାର କରନ୍ତି, ତେବେ ସେମାନେ ATM କାର୍ଡ ଦ୍ୱାରା ମିଳୁଥିବା ଏହି ଫାଇଦା ଉପଭୋଗ କରିବାର ହକଦାର ହୋଇଥାନ୍ତି । ବ୍ୟାଙ୍କ ଗ୍ରାହକମାନଙ୍କୁ ବିଭିନ୍ନ ପ୍ରକାର କାର୍ଡ ଇସ୍ୟୁ କରିଥାଏ ।
ATM କାର୍ଡର କାଟାଗୋରୀ ହିସାବରେ ଏହାସହିତ ଥିବା ଇନ୍ସ୍ୟୁରାନ୍ସ ରାଶି ଧାର୍ଯ୍ୟ କରାଯାଇଥାଏ । କ୍ଲାସିକ କାର୍ଡରେ ଗ୍ରାହକମାନଙ୍କୁ ୧ ଲକ୍ଷ ଟଙ୍କା, ପ୍ଲାଟିନମ କାର୍ଡରେ ୨ ଲକ୍ଷ, ସାମାନ୍ୟ ମାଷ୍ଟର କାର୍ଡରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଏହି ରାଶି ରହିଛି । ପ୍ଲାଟିନମ ମାଷ୍ଟର କାର୍ଡରେ ୫ ଲକ୍ଷ ଟଙ୍କା ରହିଥିବା ବେଳେ ଭିସା କାର୍ଡରେ ଏହି ରାଶି ୧.୫-୨ ଲକ୍ଷ ପର୍ଯ୍ୟନ୍ତ ଇନ୍ସ୍ୟୁରାନ୍ସ କଭରେଜ ମିଳିଥାଏ । ତେବେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଅଧୀନରେ ଥିବା RuPay କାର୍ଡ ଦ୍ୱାରା ଗ୍ରାହକମାନଙ୍କୁ ୧ଲକ୍ଷରୁ ୨ ଲକ୍ଷ ପର୍ଯ୍ୟନ୍ତ ବୀମା ରାଶି ଦିଆଯାଇଥାଏ ।
କୌଣସି ATM କାର୍ଡଧାରୀ ଦୁର୍ଘଟଣାର ଶିକାର ହୋଇ ଗୋଟିଏ ହାତ କିମ୍ବା ଗୋଟିଏ ଗୋଡ ଦିବ୍ୟାଙ୍ଗ ହୋଇଯାଆନ୍ତି, ତେବେ ସେମାନଙ୍କୁ ୫୦ ହଜାର ଟଙ୍କାର ବୀମାରାଶି ପ୍ରଦାନ କରାଯାଇଥାଏ । ସେହିପରି ଯଦି କୌଣସି ବ୍ୟକ୍ତି ଉଭୟ ହାତ କିମ୍ବା ଗୋଡ ହରାଇବସନ୍ତି ତେବେ ସେମାନେ ୧ ଲକ୍ଷ ଟଙ୍କାର ବୀମା ପାଇବା ପାଇଁ ହକଦାର ହୋଇଥାନ୍ତି । ତେବେ ଯଦି କୌଣସି କାର୍ଡଧାରୀଙ୍କର ମୃତ୍ୟୁ ହୋଇଯାଏ, ତେବେ ସେମାନଙ୍କ ପରିବାରକୁ ୧ରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା କଭରେଜ ପାଇପାରିବେ ।
ତେବେ ଏହି ସୁବିଧା ପାଇବା ପାଇଁ ଆକାଉଣ୍ଟର ନୋମିନି ଏପଆଇଆର କପି, ହସ୍ପିଟାଲରେ ଚିକିତ୍ସାର ପ୍ରମାଣପତ୍ର ଏବଂ ଅନ୍ୟ ଦସ୍ତାପିଜ ଦାଖଲ କରି ବୀମା ପାଇଁ ଆବେଦନ କରିପାରିବେ । ମୃତ୍ୟୁ ଘଟଣାରେ, କାର୍ଡଧାରୀଙ୍କ ନୋମିନିଙ୍କୁ ମୃତ୍ୟୁ ପ୍ରମାଣପତ୍ର, FIRର କପି, ନିର୍ଭରଶୀଳ ପ୍ରମାଣପତ୍ର, ମୃତ ପ୍ରମାଣପତ୍ରର ମୂଳ କପି ଇତ୍ୟାଦି ଦାଖଲ କରିବାକୁ ପଡିବ ।