ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏନଡିଏ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ଭାବେ ଦ୍ରୌପଦୀ ମୁର୍ମୁଙ୍କ ନାଁ ଘୋଷଣା କରିଛି । ଦ୍ରୌପଦୀଙ୍କ ନାଁ ଘୋଷଣା ସହ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏର ରାସ୍ତା ଆହୁରି ସହଜ ହୋଇଯିବ । ଯଦି ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦ୍ରୌପଦୀ ମୁର୍ମୁଙ୍କ ନାଁ ଘୋଷଣା ହେବ, ତେବେ ବିଜେଡି ସମର୍ଥନ କରିବ ବୋଲି ପୂର୍ବରୁ ସଙ୍କେତ ଦେଇସାରିଥିଲା । ଏଥିପାଇଁ ବିରୋଧୀଙ୍କ ଦ୍ୱାରା ରାଷ୍ଟ୍ରପତି ନିର୍ବାଚନକୁ ନେଇ ଆୟୋଜିତ ବୈଠକରୁ ଦୂରେଇ ରହିଥିଲା ବିଜେଡି ।
ତେବେ ମୂଳ ରୂପରେ ଓଡ଼ିଶାର ବାସିନ୍ଦା ଦ୍ରୌପଦୀ ମୁର୍ମୁ ବିଜେଡ଼ି ସରକାରରେ ମନ୍ତ୍ରୀ ଥିଲେ । ଏଥିପାଇଁ ବିଜେଡି ସରକାର ତାଙ୍କ ନାଁରେ କୌଣସି ଆପତ୍ତି ଜଣାଉନାହିଁ । ଏହା ବ୍ୟତୀତ ବିଜେପି ଉଭୟ ଆଦିବାସୀ ଓ ମହିଳା କାର୍ଡ ଏକାଠି ଖେଳିଛି । ଏପରି ପରିସ୍ଥିତିରେ କିଛି ନିରପେକ୍ଷ ଦଳ ମଧ୍ୟ ଏହାକୁ ସମର୍ଥନ କରିବ ବୋଲି ବିଜେପି ଆଶା କରୁଛି । ଏନଡିଏ ଦ୍ୱାରା ରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାଁ ଘୋଷଣା ପରେ ହିଁ ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ନିଷ୍ପତ୍ତି ନେବ ବୋଲି ବିଜେଡି କହିଥିଲା । ଏହା ସହ ଦ୍ରୌପଦୀ ମୁର୍ମୁଙ୍କ ନାଁ ଘୋଷଣା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟ୍ୱିଟ୍ କରି ଅଭିନନ୍ଦନ ଜଣାଇଥିବା ଦେଖିବାକୁ ମିଳିଛି ।
ନବୀନ କହିଛନ୍ତି ଯେ, ‘ଦେଶର ସର୍ବୋଚ୍ଚ ପଦବୀ ପାଇଁ ଏନଡିଏ ପକ୍ଷରୁ ପ୍ରାର୍ଥିନୀ ହୋଇଥିବା ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ମାନ୍ୟବର ପ୍ରଧାନମନ୍ତ୍ରୀ ଜୀ ଏନେଇ ମୋ ସହ ଆଲୋଚନା କରିବା ବେଳେ ବହୁତ ଖୁସି ହୋଇଥିଲି। ପ୍ରତିଟି ଓଡ଼ିଆଙ୍କ ପାଇଁ ଏହା ଗର୍ବ ଓ ଗୌରବର ମୁହୂର୍ତ୍ତ। ମୋର ବିଶ୍ୱାସ ଶ୍ରୀମତୀ ମୁର୍ମୁ ମହିଳା ସଶକ୍ତିକରଣ କ୍ଷେତ୍ରରେ ସାରା ଦେଶରେ ନୂଆ ଉଦାହରଣ ସୃଷ୍ଟି କରିବେ।’
ମୋର ବିଶ୍ୱାସ ଶ୍ରୀମତୀ ମୁର୍ମୁ ମହିଳା ସଶକ୍ତିକରଣ କ୍ଷେତ୍ରରେ ସାରା ଦେଶରେ ନୂଆ ଉଦାହରଣ ସୃଷ୍ଟି କରିବେ।
— Naveen Patnaik (@Naveen_Odisha) June 21, 2022
ତେବେ ୧୯୫୮ ମସିହା ଜୁନ୍ ୨୦ ତାରିଖରେ ଦୌପଦୀ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ବୈଦାପୋସି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ବିରଞ୍ଚି ନାରାୟଣ । ତାଙ୍କର ସ୍ୱାମୀ ଏବଂ ଦୁଇ ପୁତ୍ରଙ୍କର ମୃତ୍ୟୁ ହୋଇସାରିଛି । ୨୦୦୦ ମସିହାରେ ରାଇରଙ୍ଗପୁରରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ । ସେତେବେଳେ ଭାରତୀୟ ଜନତା ପାର୍ଟୀ ଏବଂ ବିଜୁ ଜନତା ଦଳର ମିଳିତ ସରକାର ସମୟରେ ୬ ମାର୍ଚ୍ଚ ୨୦୦୦ ରୁ ଅଗଷ୍ଟ ୨୦୦୨ ପର୍ଯ୍ୟନ୍ତ ଦ୍ରୌପଦୀ ମୁର୍ମୁ ବାଣିଜ୍ୟ ଏବଂ ପରିବହନ ବିଭାଗ ଏବଂ ୬ ଅଗଷ୍ଟ ୨୦୦୨ରୁ ମେ ୧୬ ୨୦୦୪ ପର୍ଯ୍ୟନ୍ତ ମତ୍ସ୍ୟ ଏବଂ ପଶୁ ସମ୍ପଦ ବିଭାଗର ମନ୍ତ୍ରୀ ଭାବରେ ଦାୟିତ୍ୱ ତୁଲାଇଥିଲେ । ଦ୍ରୌପଦୀ ମୁର୍ମୁ ଝାଡ଼ଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ ଭାବରେ କାର୍ଯ୍ୟ କରିଛନ୍ତି । ସେ ଓଡ଼ିଶାର ପ୍ରଥମ ଆଦିବାସୀ ନେତ୍ରୀ ଯିଏକି କୌଣସି ଭାରତୀୟ ରାଜ୍ୟର ରାଜ୍ୟପାଳ ହୋଇଥିଲେ ।
ସୂଚନାଯୋଗ୍ୟ, ଆସନ୍ତା ମାସ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହେଇ ୨୧ରେ ଫଳାଫଳ ଘୋଷଣା ହେବ । ରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନର ଅନ୍ତିମ ତାରିଖ ହେଉଛି ଜୁନ୍ ୨୯ ।