‘ସବୁ ବରବାଦ ହୋଇଯିବ.., କେବଳ ସୁନା ରୂପା କିଣି ଘରେ ରଖିଥିଲେ କାମରେ ଆସିବ’, ବିଶ୍ୱପ୍ରସିଦ୍ଧ ଲେଖକ ଦେଲେ ଏପରି ପରାମର୍ଶ

ନୂଆଦିଲ୍ଲୀ: ସମସ୍ତେ ଏକ ଧନୀ ଓ ଆରାମଦାୟକ ଜୀବନ ବିତାଇବାକୁ ଚାହାନ୍ତି । କୌଣସି ବି ପ୍ରତିକୂଳ ପରିସ୍ଥିତିରେ ଯେପରି ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିବ ନାହିଁ ସେଥିପାଇଁ ସମସ୍ତେ କଠିନ ପରିଶ୍ରମ କରିଥାନ୍ତି । ଏହା ସତ୍ତ୍ୱେ ବି ସମସ୍ତେ ନିଜ ସ୍ୱପ୍ନ ପୂରଣ କରିପାରି ନ ଥାନ୍ତି । କିଛି ଲୋକ ତ ଶୀଘ୍ର ଶୀଘ୍ର ପଇସା ଜମା କରିବା ପାଇଁ ସେୟାର ମାର୍କେଟ୍‌, ବଣ୍ଡ ଓ ରିଅଲ୍ ଇଷ୍ଟେଟ୍‌ରେ ମୋଟା ରକମ ନିବେଶ କରିଥାନ୍ତି । କିନ୍ତୁ ‘Rich Dad Poor Dad’ ର ଲେଖକ ରବର୍ଟ ଟି.କିୟୋସାକିଙ୍କର ଏ ବିଷୟରେ ଚିନ୍ତାଧାରା କିଛି ଅଲଗା । ସେ ପୁଣି ଥରେ କହିଛନ୍ତି ଜଟିଳ ସମୟରେ ସୁନା ରୂପା ଓ ବିଟ୍ କଏନ୍ ହିଁ ଆପଣଙ୍କ ସାହାରା ପାଲଟିବ ।

ଆମେରିକାର ପ୍ରସିଦ୍ଧ ଲେଖକ ରବର୍ଟ ଟି.କିୟୋସାକି ସୋସିଆଲ ମିଡିଆ ମାଧ୍ୟମରେ ଲୋକଙ୍କୁ ନିବେଶ ପାଇଁ ପରାମର୍ଶ ଦେଇଥାନ୍ତି । କିନ୍ତୁ ସେ ବିଶେଷ ଭାବରେ ସୁନା ଓ ରୂପା ଉପରେ ଅର୍ଥ ନିବେଶ କରିବାକୁ ପରାମର୍ଶ ଦେଇଥାନ୍ତି । ଏବେ ସେ ନିଜ ଟୁଇଟର ଆକାଉଣ୍ଟରେ ଏକ ପୋଷ୍ଟ କରି ଲୋକଙ୍କୁ ପୁଣି ସୁନା ଓ ରୂପା ଉପରେ ନିବେଶ କରିବାକୁ ପରାମର୍ଶ ଦେଇଛନ୍ତି । ସେ ଲେଖିଛନ୍ତି ସବୁ କିଛି (ଷ୍ଟକ, ବଣ୍ଡ, ରିଅଲ୍ ଇଷ୍ଟେଟ୍‌) ବରବାଦ ହୋଇଯିବ । ତେଣୁ ଅଧିକରୁ ଅଧିକ ସୁନା, ରୂପା ଓ ବିଟ୍ କଏନ୍ କିଣନ୍ତୁ ।

ଏହି କ୍ରମରେ ସେ ଆମେରିକାରେ ବଢୁଥିବା ଋଣ ଭାର ଉପରେ ବି କହିଛନ୍ତି । ସେ କହିଛନ୍ତି ପ୍ରତି ୯୦ ଦିନରେ ଆମେରିକାର ଋଣ ୧ ଟ୍ରିଲିୟନ ଡଲାର ବୃଦ୍ଧି ପାଉଛି ଓ ଆମେରିକା ଦେବାଳିଆ ହେବାକୁ ଯାଉଛି । ତେଣୁ ଏପରି ପରିସ୍ଥିତିରୁ ନିଜକୁ ରକ୍ଷା କରିବା ପାଇଁ ସୁନା, ରୂପା ଓ ବିଟକଏନ୍ ଉପରେ ନିଜର ଅର୍ଥ ନିବେଶ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.