ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ବଢ଼ିଚାଲିଛି ସାଇବର ଠକେଇ । ପରିସ୍ଥିତି ଏପରି ହେଲାଣି ପ୍ରତିଦିନ ଅନେକ ଲୋକ ସାଇବର ଠକେଇର ଶିକାର ହେଉଛନ୍ତି । ଆଖି ପିଛୁଳାକେ ଲୁଟ୍ କରୁଛନ୍ତି ସାଇବର ଠକ । ବିଭିନ୍ନ ଲୋଭନୀୟ କଥା କହି ମାତ୍ର କେଇ ମିନିଟରେ ଲୁଟିନେଉଛନ୍ତି ଲୋକଙ୍କ କଷ୍ଟ ଅର୍ଜିତ ଧନ । ଯାହାକୁ ନେଇ ଅନେକ ସମୟରେ ଅଭିଯୋଗ ମଧ୍ୟ ହୋଇଛି ।
ଅନେକ ସମୟରେ ଏହଭଳି ସାଇବର ଠକଙ୍କ ଠାରୁ ବଞ୍ଚିବା ପାଇଁ ଅନେକ ସଚେତନା ମଧ୍ୟ କରାଯାଉଛି । ନିଜର ବ୍ୟକ୍ତିଗତ ତଥ୍ୟ, କାର୍ଡ ଡିଟେଲ, ଓଟିପି ଇତ୍ୟାଦି ଅଜଣା ବ୍ୟକ୍ତିଙ୍କୁ ନଦେବାକୁ ମଧ୍ୟ ପରାମର୍ଶ ଦେଉଛନ୍ତି ବିଶେଷଜ୍ଞ । କିନ୍ତୁ ତଥାପି ସାଇବର ଠକେଇରେ ରୋକ୍ ଲାଗିପାରୁନାହିଁ ।
ତେବେ ବର୍ତ୍ତମାନ ପୁଣି ଏଭଳି ଏକ ମାମଲା ଦେଖିବାକୁ ମିଳିଛି ରାଜଧାନୀ ଉପକଣ୍ଠ ବାଲିପାଟଣା ଅଞ୍ଚଳରେ । ଯେଉଁଠାରେ ଜଣେ ଦିବ୍ୟାଙ୍ଗଙ୍କ ଠାରୁ ଲକ୍ଷ ଲକ୍ଷ ଲୁଟିନେଇଛନ୍ତି ସାଇବର ଲୁଟେରା । କ୍ୟାସବ୍ୟାକ୍ ନାଁରେ ଦିବ୍ୟାଙ୍ଗଙ୍କୁ ହଜାରେ ଟଙ୍କା କ୍ୟାସବ୍ୟାକ୍ ଲୋଭ ଦେଖାଇ ୬ ଲକ୍ଷ ୩୪ ହଜାର ଠକିନେଇଛନ୍ତି ଏହି ସାଇବର ଲୁଟେରା । ସେପଟେ ସାଇବର ଥାନାରେ ଅଭିଯୋଗ ପରେ ମାମଲାର ତଦନ୍ତ ଆରମ୍ଭ ହୋଇଛି ।