fbpx

ନୂଆଁଖାଇ ପାଇଁ ସମ୍ବଲପୁର ଉତ୍ସବ ମୁଖର, ଦିନ ୧୦.୫୬ ରୁ ୧୧.୧୦ ମିନିଟ ମଧ୍ୟରେ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଠାରେ ଲାଗି ହେବ ନବାନ୍ନ

ସମ୍ବଲପୁର, (ଭାସ୍କର ନ୍ୟୁଜ୍‌): ଆଜି ପାଳନ ହେବ ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ । ଏଥିପାଇଁ ଚଳଚଞ୍ଚଳ ତଥା ଉତ୍ସବ ମୁଖର ହୋଇ ଉଠିଛି ପଶ୍ଚିମ ଓଡିଶାର ପ୍ରାଣ କେନ୍ଦ୍ର ସମ୍ବଲପୁର ସହର । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିରଠାରେ ଗୁରୁବାର ଦିନ ନବାନ୍ନ ଲାଗିବ ।

ଗୁରୁବାର ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ଦିନ ୧୦.୫୬ ରୁ ୧୧.୧୦ ମିନିଟ ମଧ୍ୟରେ ମା’ଙ୍କ ଠାରେ ନୂଆଁ ଭୋଗ ଲାଗି କରାଯିବା ସହ ମା’ଙ୍କ ମନ୍ଦିରରେ ଥିବା ପାଶ୍ୱ ଦେବାଦେବୀଙ୍କ ଠାରେ ମଧ୍ୟ ନୂଆଁ ଭୋଗ ଲାଗିହେବ । ଏଥିାଇଁ ମନ୍ଦିରର ମୁଖ୍ୟ ପୂଜକଙ୍କ ସମେତ ସବୁ ପୁଜକଙ୍କ ପରିବାର ପକ୍ଷରୁ ପ୍ରସ୍ତୁତି ମଧ ଶେଷ ହୋଇସାରିଛି । ଆଜି  ମା’ଙ୍କ ନିକଟରେ ନବାନ୍ନ ଲାଗି ହେବା ପରେ ନବାନ୍ନ ଭକ୍ତଙ୍କ ମଧ୍ୟ ବଣ୍ଟନ କରାଯିବ । ନୂଆଁଖାଇ ଯେହେତୁ ପଶ୍ଚିମ ଓଡ଼ିଶାର ଏଇ ମହାନ କୃଷି ଭିତ୍ତିକ ଗଣପର୍ବ ତେଣୁ ଏଥିାଇଁ ଅଞ୍ଚଳବାସୀ ବେଶ ଉତ୍ସାହିତ ଅଛନ୍ତି ।

ଚାଷୀ ନିଜ ଉତ୍ପାଦନ କରିଥିବା ପ୍ରଥମ ଶସ୍ୟ ନିଜ ଇଷ୍ଠ ଦେବୀଠାରେ ଅର୍ପଣ କରିବା ପରେ ତାହାକୁ ଭକ୍ଷଣ କରିବାର ପରମ୍ପରା ହେଉଛି ନୂଆଁଖାଇ । ଏଥିସହ ନୂଆଁଖାଇ ସଂଧ୍ୟାରେ ନୂଆଁଖାଇୟର ମୁଖ୍ୟ ଆକର୍ଷଣ ନୂଆଁଖାଇ ଭେଟଭାଟରେ ବିଭିନ୍ନ ସ୍ଥାନରେ ସାଂସ୍କୃତିକ ସହ ଭେଟଭାଟରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଛି । ତେବେ ସଂସ୍କୃତି ଏବଂ ପରମ୍ପରାର ମହତ୍ୱ ସହ ଭାଇଚାରାର ସ୍ୱାଦ ଚଖାଇଥାଏ ଏହି ପର୍ବ ନୂଆଁଖାଇ । ତେବେ ନୂଆଁଖାଇର ପରମ୍ପରା ଏବଂ ଇତିହାସ ବେଶ ନିଆରା ।

ନୂଆଁଖାଇ ହେଉଛନ୍ତି ପଶ୍ଚିମ ଓଡିଶାର କୃଷିଭିତିକ ଗଣପର୍ବ । ଏହାକୁ ପଶ୍ଚିମ ଓଡିଶାର ସବୁଠାରୁ ବଡ଼ ପର୍ବ ବା ବଡ଼ଖା ତିହାର ବୋଲି ମଧ୍ୟ କୁହାଯାଏ । ପଶ୍ଚିମ ଓଡିଶାର ଲୋକେ ମୁଖ୍ୟତଃ କୃଷି ଉପରେ ନିର୍ଭର କରୁଥିବା ବେଳେ ଏହି ପର୍ବ ସମ୍ପୂର୍ଣ୍ଣ ରୂପେ କୃଷି ଭିତ୍ତିକ ଅଟେ । ଏଥିରେ ପାରିବାରିକ, ସାମାଜିକ ଓ ଆଧ୍ୟାତ୍ମିକ ଦର୍ଶନର ପ୍ରତିଫଳନ ହୋଇଥାଏ । ପ୍ରକୃତି ପୂଜା, ଜ୍ୟେଷ୍ଠଙ୍କୁ ସମ୍ମାନ, କନିଷ୍ଠଙ୍କୁ ଆଦର ଓ ଏକତାବଦ୍ଧ ଜୀବନ ଶୈଳୀର ବାର୍ତ୍ତା ଦେଇଥାଏ । ପ୍ରତ୍ୟେକ ବର୍ଷ ଭାଦ୍ରବ ଶୁକ୍ଳ ପକ୍ଷ ପଞ୍ଚମୀ ତିଥୀ ଅର୍ଥାତ ଗଣେଶ ପୂଜାର ପରବର୍ତ୍ତୀ ଦିନରେ ନୂଆଁଖାଇ ପାଳିତ ହୁଏ । ନୂତନ ଭାବେ ଅମଳ ହୋଇଥିବା ନୂଆଁ ଧାନର ଚାଉଳକୁ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କଠାରେ ଅର୍ପଣ କରାଯାଏ । ଏହାପରେ ନିଜ ନିଜ ଘରେ ଇଷ୍ଟ ଦେବାଦେବୀଙ୍କୁ ନବାନ୍ନ ନୈବେଦ୍ୟ ଆକାରରେ ନୂଆଁଖାଇ ଦିନ ଅର୍ପଣ କରାଯାଏ । ଏହା ପରେ ପରିବାରର ସମସ୍ତେ ଏକାଠି ବସି ନୂଆଁ ନବାନ୍ନ ଖାଇଥାନ୍ତି । କନିଷ୍ଠମାନେ ପରିବାରର ଜ୍ୟେଷ୍ଠଙ୍କୁ ମୁଣ୍ଡିଆ ମାରିଥାନ୍ତି ଓ ଜ୍ୟେଷ୍ଠମାନେ କନିଷ୍ଠମାନଙ୍କୁ ଆଶୀର୍ବାଦ ଦିଅନ୍ତି । ଏହାକୁ ଜୁହାର ଭେଟ ପରମ୍ପରା କୁହାଯାଏ । ପରିବାରର ଯିଏ ଯେଉଁଠି ଥିଲେ ମଧ୍ୟ ଘରକୁ ଫେରି ଏକାଠି ପରିବାର ସହ ନୂଆଁଖାଇ ପାଳିବାର ପରମ୍ପରା ରହିଛି । ପରିବାରର ଜଣେ ମଧ୍ୟ ଅନୁପସ୍ଥିତ ରହିଲେ ନୂଆଁଖାଇ ପାଳନ ହୋଇନଥାଏ ।

ସଭିଙ୍କ ପାଇଁ ନୂଆ ବସ୍ତ୍ର କିଣାହୁଏ । ଘରେ ଘରେ ପିଠାପଣାର ଆସର ଜମିଥାଏ । ପରବର୍ତ୍ତୀ ସମୟରେ ନିଜ ସାହିରେ ଯିଏ ଯାହାକୁ ଭେଟିଲେ ପୂର୍ବର ସବୁ ରାଗ ଅଭିମାନ ଭୁଲି ଜୁହାର କରିବାର ପରମ୍ପରା ରହିଛି । ଅପରାହ୍ନରେ ଗାଁ ଦାଣ୍ଡରେ ଯୁବକମାନେ ବିଭିନ୍ନ ଖେଳ ଖେଳିଥାନ୍ତି ଏବଂ ରାତ୍ରୀ ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ମୁଖ୍ୟତଃ ନୂଆଁଖାଇ ପର୍ବ ଏକ ପଶ୍ଚିମ ଓଡିଶାର ଆଦିବାସୀ ପର୍ବ ବୋଲି କୁହାଯାଏ । ବହୁ ପୁରୁଣା ପରମ୍ପରା ବୋଲି ଇତିହାସକାର କୁହନ୍ତି । ଏହା କେବେ ଆରମ୍ଭ ହୋଇଥିଲା କେହି ସ୍ପଷ୍ଟ ଭାବେ କହିପାରନ୍ତି ନାହିଁ । ତେବେ୧୫୫୬ ମସିହାରେ ଚୌହାନ ବଂଶୀୟ ରାଜା ବଳରାମ ଦେବ ସମ୍ବଲପୁରକୁ ନିଜର ରାଜଧାନୀ କରି ହୀରାଖଣ୍ଡ ରାଜ୍ୟ ସ୍ଥାପନ କରିବା ପରେ ମା’ ସମଲେଶ୍ୱରୀଙ୍କୁ ଇଷ୍ଟଦେବୀ ଭାବେ ପୂଜା କରିଥିଲେ । ଏଥିସହ ଆଦିବାସୀଙ୍କ ନୂଆଁଖାଇ ପରମ୍ପରାକୁ ଆପଣେଇ ଥିଲେ ।

ଏଭଳି ଭାବେ ଆର୍ଯ୍ୟ ଓ ଆଦିବାସୀ ସଂସ୍କୃତିର ସମ୍ମିଶ୍ରଣ ହୋଇଥିଲା । ସମୟ କ୍ରମେ ନୂଆଁଖାଇ ପର୍ବ ପରିମାର୍ଜିତ ହୋଇ ପରିବ୍ୟାପ୍ତ ହୋଇଥିଲା । ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାର ଲୋକେ ଭିନ୍ନ ଭିନ୍ନ ଦିନରେ ନୂଆଁଖାଇ ପାଳନ କରୁଥିବାରୁ ରାଜ୍ୟ ସରକାର ଛୁଟି ଦେଉନଥିଲେ । ତେବେ ୧୯୯୧ ମସିହାରେ ସମ୍ବଲପୁରର ଓଡିଶା ସାଂସ୍କୃତିକ ସମାଜ ସଙ୍ଗଠନର ଉଦ୍ୟମ କ୍ରମେ ପଶ୍ଚିମ ଓଡିଶାର ଜନ ପ୍ରତିନିଧି ଓ ବୁଦ୍ଧିଜୀବୀମାନେ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଗଣେଶ ପୂଜା ପରବର୍ତ୍ତୀ ଦିନ ନୂଆଁଖାଇ ଛୁଟି କରିବାକୁ ଦାବି କରିଥିଲେ । ବିଜୁ ପଟ୍ଟନାୟକ ପଶ୍ଚିମ ଓଡିଶା ବାସୀଙ୍କ ପାଇଁ ଗୋଟିଏ ଦିନର ନୂଆଁଖାଇ ସରକାରୀ ଛୁଟି ଘୋଷଣା କରିଥିଲେ । ତେବେ ଚଳିତ ବର୍ଷ ସରକାର ନୂଆଁଖାଇ କୁ ଦୁଇ ଦିନ ଛୁଟି ଘୋଷଣା କରିଛନ୍ତି ।

Get real time updates directly on you device, subscribe now.