ଝାରସୁଗୁଡା: ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାର ଫିଲ୍ଡ ଅଫିସରଙ୍କ ପର୍ଦ୍ଦାଫାଶ କରିଛି ଝାରସୁଗୁଡା ପୋଲିସ । ମୁଦ୍ରା ଯୋଜନାରେ ବିଭିନ୍ନ ବ୍ୟାଙ୍କରୁ ଋଣ କରାଇଦେବା ବାହାନାରେ ଲୁଟ କରିବାରେ ଏମାନେ ମାହିରଥୀ ହାସଲ କରିଥିଲେ । ଜଣେ କି ଦୁଇ ଜଣ ନୁହେଁ ଶହେ ଜଣ ମହିଳାଙ୍କୁ ନିଜ ଜାଲରେ ଫସାଇ ଠକି ନେଇଥିଲେ ଏହି ସୁପର ଲୁଟେରା । କିନ୍ତୁ ଚୋର ଘର ସବୁବେଳେ ଅନ୍ଧାର ନଥାଏ । ସବୁ କଳା କାରନାମାରୁ ଉଠିସାରିଛି ପରଦା । ଏବେ ଉଭୟ ଦମ୍ପତ୍ତିଙ୍କୁ ଗିରଫ କରିଛି ଝାରସୁଗୁଡା ପୋଲିସ ।
ସୂଚନା ଅନୁସାରେ, ଝାରସୁଗୁଡା କୁଚିଣ୍ଡାର ଭୀମରାଜ ସୋନୀ ଏବଂ ପତ୍ନୀ ସୁଜାତାଙ୍କୁ ପୋଲିସ ଗିରଫ କରିଛି । ଏମାନଙ୍କ ନାଁରେ ଥିବା ଅଭିଯୋଗ ଖୁବ ସାଙ୍ଘାତିକ ରହିଛି । ୧୦୦ ରୁ ଅଧିକ ଜଣ ମହିଳାଙ୍କୁ ଠକି ସେମାନଙ୍କୁ ଲୁଟ କରିଥିବା ନେଇ ଏମାନଙ୍କ ନାଁରେ ଏତଲା ରହିଛି । ଏମାନେ ନିଜକୁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାର ଫିଲ୍ଡ ଅଫିସର ବୋଲି ପରିଚୟ ଦେଇଥିଲେ । ଫଳରେ କୋଲାବିରା ଓ ଲାଇବେରା ଅଞ୍ଚଳର ଗାଁ ଗାଁ ବୁଲି ଲକ୍ଷ ଲକ୍ଷ ଟଙ୍କା ଚଳୁ କରି ଦେଇଛନ୍ତି । ବିଭିନ୍ନ ଗ୍ରାମର ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ମାନଙ୍କୁ ୧% ସୁଧ ହାରରେ ଲୋନ୍ ଦିଆଯିବ କହି ଲୁଟି ନେଇଥିଲେ ୨ ଲକ୍ଷରୁ ଅଧିକ ଟଙ୍କା ।
କିନ୍ତୁ ପରେ ଏ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ଏହି ୨ ଦମ୍ପତ୍ତି ଅସଲି ଅଫିସର ନୁହେଁ । ବରଂ ବହୁରୂପୀ ବୋଲି ଜାଣିବାକୁ ମିଳିଛି । ନିଜର ନକଲି ପରିଚୟପତ୍ର ତିଆରି କରି ଏହି ୨ ଗାଁରେ ଲୁଟ୍ କରିବାର ଜାଲ ବିଛାଇଥିଲେ ଏହି ଲୁଟେରା କପଲ୍ । ଏ କଥା ସେତେବେଳେ ପଦାକୁ ଆସିଥିଲା ଯେତେବେଳେ ୮୦ହଜାର ଲୋନ ନେବା ପାଇଁ ୩୧ ଶହ ଟଙ୍କା ଏବଂ ୪୦ ହଜାର ଲୋନ ନେବା ପାଇଁ ୧୫୫୦ ଟଙ୍କା ଏହି ମହିଳାମାନଙ୍କ ଠାରୁ ଫୋନ-ପେ, ଗୁଗୁଲ-ପେ ତଥା ବ୍ୟାଙ୍କ ଆକାଉଣ୍ଟ ଇତ୍ୟାଦିରେ ନେଇ ଯାଇଥିଲେ । କିନ୍ତୁ ଏହାପରେ ନା ସେମାନଙ୍କ ଫୋନ ଉଠାଇଥିଲେ ନା ତାଙ୍କ ସହ କିଛି ଯୋଗାଯୋଗ କରିଥିଲେ । ତେଣୁ ଏହାକୁ ନେଇ ଲଇକେରା ଏବଂ କୋଲାବିରା ଥାନାରେ ସେମାନଙ୍କ ବିରୋଧରେ ଅଭିଯୋଗ କରିଥିଲେ ଲୁଟର ଶିକାର ହୋଇଥିବା ମହିଳା ।
ଅଭିଯୋଗକୁ ଭିତ୍ତି କରି ପୋଲିସ ତର୍ଜମା ଆରମ୍ଭ କରିଥିଲା । ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ ଝାରସୁଗୁଡାର ବଢେଇମୁଣ୍ଡା ନିକଟରୁ ଏମାନଙ୍କୁ ଦମ୍ପତ୍ତିଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଏହାସହ ଗିରଫ ୨ ଅଭିଯୁକ୍ତଙ୍କ ପାଖରୁ ୨ ଟି ମୋବାଇଲ ଫୋନ, ନକଲି ପରିଚୟ ପତ୍ର ଏବଂ ସେମାନଙ୍କ ନାମରେ ଥିବା ବ୍ୟାଙ୍କ ଆକାଉଣ୍ଟକୁ ପୋଲିସ ଜବତ କରିଛି । ଏ ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।