ଅସୁରକ୍ଷିତ ଅବସ୍ଥାରେ ବିରଳ କୃଷ୍ଣସାର ମୃଗ: ବଞ୍ଚିବା ପାଇଁ ଖୋଜୁଛନ୍ତି ସାହାରା

ଗଞ୍ଜାମ: ବିରଳ କୃଷ୍ଣସାର ମୃଗ ହେଉଛନ୍ତି ଦେଶ ତଥା ରାଜ୍ୟର ଗର୍ବ ଏବଂ ଗୌରବ । କିନ୍ତୁ ରାସ୍ତା ପାର କରୁଥିବା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ଏବେ ଧିରେ ଧିରେ ଏମାନଙ୍କ ସଂଖ୍ୟା ଲୋପ ପାଉଛଇ । ତେଣୁ ଏମାନଙ୍କ ସୁରକ୍ଷାର ଆବଶ୍ୟକତା ରହିଛି । ଗଞ୍ଜାମ ଜିଲ୍ଲା ଆସିକା ଫରେଷ୍ଟ ରେଞ୍ଜ ଅଞ୍ଚଳର ଅଞ୍ଚଳର ଏକ କୃଷ୍ଣସାର ମୃଗ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦେଖିବାକୁ ମିଳିଛି । ଏହି ବିରଳ ପ୍ରଜାତିର କୃଷ୍ଣସାର ମୃଗ ଭେଟନଇ ଓ ଏହାର ଆଖପାଖ ଅଞ୍ଚଳରେ ବିଚରଣ କରୁଥାନ୍ତି । ଏମାନଙ୍କୁ ଦେଖିବା ପାଇଁ ବର୍ଷ ତମାମ ପର୍ଯ୍ୟଟକଙ୍କ ସୁଅ ଛୁଟୁଥିବା ବେଳେ ପ୍ରତ୍ୟେକ ମାସ ଦୁର୍ଘଟଣା ଏବଂ କୁକୁର ଆକ୍ରମଣର ଶିକାର ହେଉଛନ୍ତି ।

ସୂଚନା ମୁତାବକ, ୨୦୧୮ରେ ହୋଇଥିବା ଗଣନାରେ ଆସିକା ବନଖଣ୍ଡରେ ପାଖାପାଖି ୨,୮୦୯ କୃଷ୍ଣସାର ମୃଗ ରହିଥିବା ବେଳେ ୨୦୨୦ ରେ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଇ ୪୧୧୪ ରେ ପହଞ୍ଚିଥିଲା । ସେହିଭଳି ୨୦୨୧ ମସିହାରେ ଏମାନଙ୍କ ସଂଖ୍ୟା ୪୪୮୩ ରେ ପହଞ୍ଚି ଯାଇଥିବା ରିପୋର୍ଟରୁ ଜଣାଯାଇଛି । ତେବେ ଦିନକୁ ଦିନ ଅଞ୍ଚଳରେ ବିରଳ କୃଷ୍ଣସାର ମୃଗଙ୍କ ସଂଖ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ସେମାନଙ୍କ ସୁରକ୍ଷା ପ୍ରତି ସେତେଟା ଦୃଷ୍ଟି ଦେଉନି ବନ ବିଭାଗ ।

ସେପଟେ ଅଞ୍ଚଳରେ କୃଷ୍ଣସାର ମୃଗଙ୍କ ଲାଗି ଚାରଣ ଭୂମିର ଅଭାବ ଯୋଗୁଁ ଖାଦ୍ୟ ଅନ୍ୱେଷଣ ପାଇଁ ବାହାରେ ବୁଲୁଥିବା ବିରଳ ମୃଗ କେତେବେଳେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ମୁଖରେ ପଡୁଛନ୍ତି ତ ଆଉ କେତେବେଳେ ବୁଲା କୁକୁରଙ୍କ ଶିକାର ହେଉଛନ୍ତି ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଅଞ୍ଚଳବାସୀ । ତେବେ ଯଦି ଆଗାମୀ ଦିନରେ ଏହି ବିରଳ ବନ୍ୟ ଯନ୍ତୁଙ୍କ ସୁରକ୍ଷା କରାନଯାଏ ତେବେ ବିରଳ କୃଷ୍ଣସାର ମୃଗ ଖୁବଶୀଘ୍ର ବିଲୁପ୍ତ ହୋଇଯିବା ନେଇ ଆଶଙ୍କା ଦେଖା ଦେଇଛି ।