fbpx

ୟୁକ୍ରେନ ସୀମାର ପ୍ରିପ୍ୟାଟ ନଦୀ ଉପରେ ବ୍ରିଜ୍ ନିର୍ମାଣ କରିଛି ଋଷିଆ: ସାଟେଲାଇଟ୍ ଇମେଜରୁ ହେଲା ବଡ ଖୁଲାସା, ସୈନ୍ୟ ପ୍ରତ୍ୟାହାର ପରେ ବି ଥମୁନି ଉତ୍ତେଜନା

ନୂଆଦିଲ୍ଳୀ: ଋଷିଆ ଓ ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ବିବାଦ ଥମିବାର ନା ନେଉନି । ଉଭୟ ରାଷ୍ଟ୍ର ମଧ୍ୟରେ ଯୁଦ୍ଧ ପରସ୍ଥିତି ସୃଷ୍ଟି ହୋଇଥିବା ବେଳେ ବର୍ତ୍ତମାନ ଋଷ ନିଜର ସୈନ୍ୟ ପ୍ରତ୍ୟାହାର ସମ୍ପର୍କରେ ଘୋଷଣା କରିଥିଲା । ଋଷ ସୈନ୍ୟ ପ୍ରତ୍ୟାହାର କରିବା ନେଇ ଘୋଷଣା କରିବା ପରେ ସମଗ୍ର ବିଶ୍ୱ ସାମାନ୍ୟ ଆଶ୍ୱସ୍ତ ଲାଭ କରିଥିଲା । ତେବେ ସ୍ପେସ୍ ଫାର୍ମ ମାକ୍ସର ପକ୍ଷରୁ ନିଆଯାଇଥିବା ସାଟେଲାଇଟ୍ ଚିତ୍ର ପୁଣି ଥରେ ସମସ୍ତଙ୍କ ଚିନ୍ତା ବଢାଇଛି । ଏହି ସାଟେଲାଇଟ୍ ଚିତ୍ର ଅନୁଯାୟୀ ଋଷିଆ ୟୁକ୍ରେନ୍ ସୀମାରେ ୮ ମାଇଲ ଲମ୍ବର ଏକ ବ୍ରିଜ ନିର୍ମାଣ କରିଛି । ବେଲାରୁଷ-ୟୁକ୍ରେନ୍ ସୀମାର ୬ କିମି ଦୂରରେ ରହିଥିବା ପ୍ରିପ୍ୟାଟ ନଦୀ ଉପରେ ଋଷ ପକ୍ଷରୁ ଏହି ବ୍ରିଜ ନିର୍ମାଣ କରାଯାଇଛି । ଏହା ସହିତ ଆଟାକ୍ ହେଲିକପ୍ଟର ପାଇଁ ହେଲିପ୍ୟାଡ ମଧ୍ୟ ନିର୍ମାଣ କରାଯାଇଛି । ଋଷ ପକ୍ଷରୁ ସୈନ୍ୟ ପ୍ରତ୍ୟାହାରର ଯେଉଁ ଦାବି କରାଯାଉଛି ତାହା ମଧ୍ୟ ସମ୍ପୂର୍ଣ୍ଣ ସତ୍ୟ ନୁହେଁ । ବର୍ତ୍ତମାନ ସୁଦ୍ଧା ୧୮ଟି ଆଟାକ୍, ଏମଆଇ-୮ ଓ କେଏ-୫୨ ହେଲିକପ୍ଟର ମହଜୁଦ ଥିବା ସୂଚନା ମିଳିଛି ।

ଯଦି ଋଷ ଆକ୍ରମଣ କରେ ତେବେ ମାତ୍ର ୧-୨ ଦିନ ମଧ୍ୟରେ ହିଁ ଏହା ୟୁକ୍ରେନକୁ ନିଜ କବଜାକୁ ନେଇଯିବ । ତେବେ ଏହି ଯୁଦ୍ଧ ହେଲେ ୫୦ ହଜାର ୟୁକ୍ରେନୀୟ ନାଗରିକଙ୍କ ଜୀବନହାନି ଘଟିବ । ଏହା ସହିତ ଲକ୍ଷ ଲକ୍ଷ ଲୋକ ଆଶ୍ରୟହୀନ ହୋଇ ଘୁରି ବୁଲିବେ । ଆକ୍ରମଣ ସମ୍ଭାବନାକୁ ଋଷ ପକ୍ଷରୁ ଖଣ୍ଡନ କରାଯାଇଛି । ସାମରିକ ଅଭ୍ୟାସ ପାଇଁ ଋଷ ସେନା ମୁତୟନ କରିଛି । ତେବେ ୟୁକ୍ରେନ ଏବଂ ଏହାର ସହଯୋଗୀ ରାଷ୍ଟ୍ର ଗୁଡିକ ଏହାକୁ ବିଶ୍ୱାସ କରୁନାହାନ୍ତି । ଆମେରିକା ପକ୍ଷରୁ ଅତିରିକ୍ତ ଫୋର୍ସ ମଧ୍ୟ ମୁତୟନ କରାଯାଇଛି । ପୂର୍ବରୁ ରେଜସୋରେ ଶନିବାର ୩୦୦୦ ସହକାରୀ ଟ୍ରୁପଙ୍କୁ ମୁତୟନ କରାଯାଇଥିଲା ।

ୟୁକ୍ରେନ୍ ପକ୍ଷରୁ ମିନ୍ସକ ପ୍ରୋଟୋକଲ ଉଲ୍ଲଂଘନ ନେଇ ଋଷ ପକ୍ଷରୁ ଅଭିଯୋଗ କରାଯାଇଛି । ତେବେ ୟୁକ୍ରେନର ଡୋନବାସ ଅଞ୍ଚଳକୁ ଋଷିଆ ବଳପୂର୍ବକ ଅକ୍ତିଆର କରିବା ପରେ ଏକ ଆତଙ୍କୀ ସଙ୍ଗଠନକୁ ସମର୍ଥନ କରିଥିଲା । ୨୦୧୪ରେ ଋଷିଆ ସମର୍ଥନରେ ଆତଙ୍କୀ ମାନେ ୧୪ ହଜାର ୟୁକ୍ରେନ ନାଗରିକଙ୍କୁ ହତ୍ୟା କରିଥିଲେ । ଶୀତଳ ଯୁଦ୍ଧ ପୂର୍ବରୁ ୟୁକ୍ରେନ ସୋଭିଏତ ୟୁନିୟନର ଅଙ୍ଗ ରହିଥିବା ବେଳେ ଏହାକୁ ଅଲଗା କରିବାରେ ଆମେରିକାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା ।

Get real time updates directly on you device, subscribe now.