ପାକିସ୍ତାନର ତାକତ ହିଁ ପାଲଟିବ କମଜୋରୀ: ପୁରୁଣା ରାଗ ସୁଝାଇବ ଭାରତ!

ନୂଆଦିଲ୍ଲୀ: ୧୦ ମାସର ବଡ ବ୍ୟବଧାନ ପରେ ପୁଣିଥରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଭାରତ-ପାକିସ୍ତାନ । ୟୁଏଇର ଦୁବାଇ ଇଣ୍ଟରନେସନାଲ ଷ୍ଟାଡିୟମରେ ଉଭୟ ଦଳ ମଧ୍ୟରେ ହେବ ହାଇଭୋଲଟେଜ ମ୍ୟାଚ । ଗତବର୍ଷ ଟି-୨୦ ବିଶ୍ୱକପରେ ଏହି ଗ୍ରାଉଣ୍ଡରେ ହିଁ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୋଇଥିଲା । ତେବେ ଏହି ମ୍ୟାଚରେ ପାକିସ୍ତାନ ଇତିହାସ ସୃଷ୍ଟି କରିଥିଲା । କିନ୍ତୁ ଆଜି ସେହି ଆଘାତର ପ୍ରତିଶୋଧ ନେବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ଟିମ ଇଣ୍ଡିଆ । ସେଥିପାଇଁ ପାକିସ୍ତାନର କମଜୋରୀ ଖୋଜିବାରେ ଲାଗିଛି ।

ବିଶ୍ୱକପରେ ମିଳିଥିବା ପରାଜୟର କଷ୍ଟ ଏପର୍ଯ୍ୟନ୍ତ ଭୁଲିପାରିନାହିଁ ଇଣ୍ଡିଆନ କ୍ରିକେଟ ଟିମ । ସେପଟେ ପାକିସ୍ତାନ ମଧ୍ୟ ମ୍ୟାଚ ବିଜୟ ସହ ଟୁର୍ଣ୍ଣାମେଣ୍ଟ ଆରମ୍ଭ କରିବା ପାଇଁ ଚେଷ୍ଟା କରିବ । ତେଣୁ ଏହି ମ୍ୟାଚ ଖୁବ ରୋମାଞ୍ଚକର ଏବଂ କଡା ଟକ୍କର ହେବ ବୋଲି ଅନୁମାନ କରାଯାଉଛି । ତେବେ ପାକିସ୍ତାନର ତାକ ହିଁ ଆଜି ଦଳ ପାଇଁ ସବୁଠୁ ବଡ କମଜୋରୀ ପାଲଟିଛି । ଏହାର ଫାଇଦା ଉଠାଇ ଭାରତ ମ୍ୟାଚକୁ ନିଜ ହାତମୁଠାରେ ଆଣିବା ପାଇଁ ଚାହିଁବ ।

ପାକିସ୍ତାନର ସବୁଠୁ ବଡ ତାକତ ହେଉଛି ଏହାର ବ୍ୟାଟିଂ ଲାଇନ ଅପ୍ । ଟପ୍-୩ ବ୍ୟାଟ୍ସମ୍ୟାନଙ୍କ ଉପରେ ଦଳ ଭରସା କରି ରହିଛି । ତେବେ ଯଦି ପାକିସ୍ତାନର ଟପ୍-୩ ଖେଳାଳିଙ୍କୁ ଭାରତ ଜଲଦି ପାଭିଲିୟନ ପଠାଇବାରେ ସଫଳ ହୁଏ, ତେବେ ମ୍ୟାଚରେ ବିଜୟ ହାସଲ କରିବା ସହଜ ହୋଇଯିବ । ତେବେ ପାକିସ୍ତାନର କମଜୋରୀ ହେଉଛି ଦଳର ମିଡିଲ ଅର୍ଡର । ପାକିସ୍ତାନର ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ପ୍ରଦର୍ଶନ ଖରାପ ରହିଛି । ବାବର ଆଜମ୍, ମହମ୍ମଦ ରିଜୱାନ ଏବଂ ଫଖର ଜମାନଙ୍କ ୱିକେଟ ପରେ ଦଳ ଭୁଷୁଡି ପଡିବାର ସମ୍ଭାବନା ଖୁବ ଅଧିକ ରହିଛି । କିନ୍ତୁ ଷ୍ଟ୍ରାଇକ ରେଟରେ ପାକିସ୍ତାନର ମିଡିଲ ଅର୍ଡର ମଜବୁତ ପ୍ରମାଣିତ ହୋଇଛି ।

ଅନ୍ୟ ପକ୍ଷରେ ଭାରତର ମଧ୍ୟ ଟପ୍ ଅର୍ଡର ହିଁ ଶକ୍ତିଶାଳୀ ବୋଲି କୁହାଯାଉଛି । ଗତବର୍ଷ ଟି-୨୦ ବିଶ୍ୱକପରେ ଟପ୍-୩ ବ୍ୟାଟ୍ସମ୍ୟାନ ଫେଲ ମାରିଥିବାରୁ ଦଳ ପରାଜୟର ସାମନା କରିଥିଲା । ତେବେ ମିଡିଲ ଅର୍ଡରରେ ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଜାଡେଜାଙ୍କ ବ୍ୟାଟରୁ ଭଲ ସ୍କୋର ଆଶା କରିବ ଟିମ ଇଣ୍ଡିଆ । କିନ୍ତୁ ଦଳକୁ ବଡ ସ୍କୋର ଠିଆ କରିବାକୁ ହେଲେ ଟପ୍-୩ ବ୍ୟାଟ୍ସମ୍ୟାନଙ୍କ ଉପରେ ନିର୍ଭର କରିବ ଟିମ ।