ପତ୍ନୀ ହତ୍ୟା ମାମଲା: ପୂର୍ବତନ ବିଧାୟକଙ୍କୁ ଆଜୀବନ ଜେଲ୍‌

ଭୁବନେଶ୍ୱର: ପତ୍ନୀ ହତ୍ୟା ମାମଲାରେ ପୂର୍ବତନ ବିଧାୟକଙ୍କୁ ଆଜୀବନ ଜେଲ୍‌ ଦଣ୍ଡ। ରାୟଗଡା ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ଆଜୀବନ କାରାଦଣ୍ଡ ରାୟ ଶୁଣାଇଲେ MP/MLA କୋର୍ଟ । ଭୁବନେଶ୍ବରରେ ପତ୍ନୀଙ୍କୁ ହତ୍ୟା ମାମଲାରେ ଏହି ଦଣ୍ଡ ଶୁଣାଇଛନ୍ତି କୋର୍ଟ।

ସୂଚନା ମୁତାବକ , ୧୧ ସାକ୍ଷୀ ଓ ୧୫ ଦସ୍ତାବିଜ ଆଧାରରେ ରାୟ ଶୁଣାଇଛନ୍ତି କୋର୍ଟ। ରାମମୂର୍ତ୍ତିଙ୍କ ଉପରେ ୫୦ ହଜାର ଟଙ୍କାର ଜରିମାନା ଲଗାଯାଇଛି। ୧୯୯୫ରେ ପତ୍ନୀ ଶଶିରେଖାଙ୍କ ମୃତଦେହ ଉଦ୍ଧାର ହୋଇଥିଲା।

ତେବେ ୧୯୯୫ ମସିହାରେ ରାମମୂର୍ତ୍ତି ତାଙ୍କ ପତ୍ନୀ ଶଶୀରେଖା ଗମାଙ୍ଗ ଏମଏଲଏ କଲୋନୀ କ୍ୱାର୍ଟର ଗାଧୁଆ ଘରେ ପୋଡ଼ି ହୋଇ ମୃତ୍ୟୁବରଣ କରିଥିବା ଦର୍ଶାଇଥିଲେ। ପରେ ପୋଲିସ ତଦନ୍ତରେ ରାମମୂର୍ତ୍ତି ପତ୍ନୀଙ୍କୁ ହତ୍ୟା କରିଥିବା ଜଣାପଡ଼ିଥିଲା। ଘଟଣା ଦିନ ୧୦ଟା ୪୫ ମିନିଟରେ ରାମମୂର୍ତ୍ତି ଗମାଙ୍ଗ ପୁଲିସକୁ ଖବର ଦେଇଥିଲେ ଯେ ତାଙ୍କ ପତ୍ନୀ ଆତ୍ମହତ୍ୟା କରିଛନ୍ତି। ସେହିଦିନ ସକାଳ ୯ଟାରେ ତାଙ୍କ ପତ୍ନୀ ବାଥରୁମ୍‌ ଭିତରେ ଆତ୍ମହତ୍ୟା କରିଥିବା ସେ ପୁଲିସକୁ ସୂଚନା ଦେଇଥିଲେ।

ଘଟଣାର ତଦନ୍ତ ବେଳେ ଏହା ଆତ୍ମହତ୍ୟା ନୁହେଁ, ବରଂ ସୁଚିନ୍ତିତ ହତ୍ୟା ବୋଲି ପୁଲିସ ସନ୍ଦେହ କରିବା ପରେ ସେନେଇ ତଦନ୍ତ ଆଗକୁ ବଢ଼ାଇଥିଲା। ରାମମୂର୍ତ୍ତି ଗମାଙ୍ଗଙ୍କର ଏହି ଘଟଣାରେ ସଂପୃକ୍ତି ଥିବା କଥା ସାମ୍ନାକୁ ଆସିଥିଲା। ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ପ୍ରୟାସ କରାଯାଇଥିଲା ବୋଲି ପୁଲିସ ଜାଣିବାକୁ ପାଇଥିଲା। ସେହି ଆଧାରରେ ପୁଲିସ ଏହି ଘଟଣାରେ ପ୍ରଥମେ ୟୁଡି ଓ ପରେ ହତ୍ୟା ମାମଲା ରୁଜୁ କରିଥିଲା।

ପୂର୍ବରୁ ସେ ବିଜେଡିରେ ଥିବାବେଳେ ପରେ ସେ ବିଜେପିରେ ଯୋଗ ଦେଇଥିଲେ । ରାୟଗଡ଼ାରୁ ୨ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ରାମମୂର୍ତ୍ତି ଗମାଙ୍ଗ।