ଅପମିଶ୍ରଣକାରୀଙ୍କ ପାଇଁ କଠୋର ହେଲା FSSAI, ୧୪ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ ସ୍ୱତନ୍ତ୍ର ଅଭିଯାନ, ଯାଞ୍ଚ ହେବ ଖାଇବା ତେଲ ମାନ
ନୂଆଦିଲ୍ଲୀ: ଦେଶରେ ଖାଦ୍ୟ ତେଲରେ ଅପମିଶ୍ରଣ ଏବଂ ଖାଇବା ତେଲର ଶୁଦ୍ଧତା ଯାଞ୍ଚ କରିବା ପାଇଁ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ ଅଫ୍ ଇଣ୍ଡିଆ (ଏଫଏସଏସଆଇ) ଦେଶବ୍ୟାପୀ ଅଭିଯାନ ଚଳାଇଛି । ଏହି ଅଭିଯାନ ଅଗଷ୍ଟ ୧୪ ପର୍ଯ୍ୟନ୍ତ ଚାଲିବ । ଅଭିଯାନରେ ଦେଶର ବିଭିନ୍ନ ସ୍ଥାନରୁ ଖାଇବା ତେଲର ନମୁନା ସଂଗ୍ରହ କରାଯିବ ଏବଂ ତାହାକୁ ପରୀକ୍ଷା କରାଯିବ ।
ଏହି ଅଭିଯାନ ଏଫଏସଏସଆଇକୁ ହାଇଡ୍ରୋଜେନୀକୃତ ତେଲରେ ଟ୍ରାନ୍ସ ଫ୍ୟାଟି ଏସିଡର ମାତ୍ରା, ଦେଶରେ ଖୋଲାରେ ବିକ୍ରି ହେଉଥିବା ଖାଇବା ତେଲର ବିକ୍ରି ଉପରେ ରୋକ୍ ଲଗାଇବା ଏବଂ ଅନ୍ୟ ଉତ୍ସରୁ ଆସୁଥିବା ଖାଇବା ତେଲ ଦେଶରେ ବିକ୍ରି ହେଉଥିବା ସୂଚନା ହାସଲ କରିବାରେ ସହାୟକ ହେବ ।
ପ୍ରାଧିକରଣ ଗତ ବର୍ଷ ମଧ୍ୟ ଅଭିଯାନରେ ଦେଶରୁ ଖାଦ୍ୟ ତେଲ ନମୁନା ଯାଞ୍ଚ କରିଥିଲା । ଏଫଏସଏସଆଇ ଦ୍ୱାରା ନିଆଯାଇଥିବା ପ୍ରାୟ ୪୪୬୧ନମୁନା ମଧ୍ୟରୁ ୨୪.୨ ପ୍ରତିଶତ ନମୁନା ସୁରକ୍ଷା ମାନକରେ ଉତୀର୍ଣ୍ଣ ହୋଇପାରିନଥିଲେ । ଏତିକି ନୁହେଁ ଦେଶରୁ ଏକତ୍ରିକ କରାଯାଇଥିବା ନମୁନାରୁ ଜଣାପଡ଼ିଥିଲା ଯେ ବିପୁଳ ମାତ୍ରାରେ ଅପମିଶ୍ରିତ ଖାଦ୍ୟ ତେଲ ବିକ୍ରି କରାଯାଉଛି ।
ଏଫଏସଏସଆଇର ଏକ ବୟାନ ଅନୂଯାୟୀ ଏହି ସାମ୍ପୁଲ ଗୁଡ଼ିକର ଯାଞ୍ଚ କରାଯିବ । ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ଯଦି କୌଣସି ସାମ୍ପୁଲ ଗୁଣାତ୍ମକ ମାନ ପୂରଣ ନକରେ, ତେବେ ତୁରନ୍ତ ନିୟାମକ ନମୁନା ଗ୍ରହଣ କରାଯିବ ଉଚିତ୍ ଏବଂ ଅପମିଶ୍ରିତ ଖାଇବା ତେଲ ବିକ୍ରେତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ । ଏଫଏସଏସଆଇ ଅନୁଯାୟୀ, ଏହି ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ଦେଶର ୧୫ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରୁ ଖାଇବା ତେଲ, ବନସ୍ପତି ତେଲ ଏବଂ ମଲ୍ଟି ସୋର୍ସ ଖାଇବା ତେଲର ୨୭୯ ନମୁନା ନିଆଯାଇଛି ।