ଭୁବନେଶ୍ୱର: ରାଜ୍ୟରେ ଦୁର୍ନୀତି ମାତ୍ରା ବଢ଼ିବାରେ ଲାଗିଛି । ପ୍ରତିଦିନ କେହି ନା କେହି ଅଧିକାରୀ ଭିଜିଲାନ୍ସ ଜାଲରେ ଧରାପଡୁଛନ୍ତି । ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଏକ ବଡ଼ ଖବର । ସୂଚନା ମୁତାବକ, ନବରଙ୍ଗପୁର ଉପଜିଲ୍ଲାପାଳଙ୍କ ଘରେ ହୋଇଛି ଭିଜିଲାନ୍ସ ଚଢ଼ାଉ । ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ଘରେ ଭିଜିଲାନ୍ସ ରେଡ୍ କରୁଛି ।
ତେବେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଭିଜିଲାନ୍ସ ଚଢ଼ାଉ ହୋଇଥିବା ଜଣାପଡିଛି । ଭଦ୍ରକ, ଭୁବନେଶ୍ୱର ସମେତ ୯ଟି ସ୍ଥାନରେ ଏକାକାଳୀନ ଚଢ଼ାଉ ଚାଲିଛି । ତେବେ ବର୍ତ୍ତମାନ ସୁଦ୍ଧା କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି, ସେନେଇ କୌଣସି ସୂଚନା ମିଳିପାରିନାହିଁ ।
ଏହି ଚଢ଼ାଉରେ ଭିଜିଲାନ୍ସ ବିଭାଗର ୯ଟି ଟିମ୍ ସାମିଲ ହୋଇଛନ୍ତି। ସୂଚନାଯୋଗ୍ୟ, ପ୍ରଶାନ୍ତ ପୂର୍ବରୁ ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକରେ ବିଡ଼ିଓ ଭାବେ କାର୍ଯ୍ୟ କରୁଥିଲେ। ଏହି ସମୟରେ କୌଣସି କାମ ପାଇଁ ବିରିପାଣି ପଞ୍ଚାୟତର ଜଣେ ଅଧିକାରୀଙ୍କ ଠାରୁ ୧ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଥିଲେ।